Sat. Sep 5th, 2026
402 Views

ଜୟପୁର , 17 Jan. 2019: ଫେବ୍ରୁଆରି ପ୍ରଥମ ସପ୍ତାହ ସୁଦ୍ଧା ଜୟପୁରରୁ ରାଜ୍ୟ ମଧୢରେ ଆରମ୍ଭ ହେବ ବ୍ୟବସାୟିକ ବିମାନ ଚଳାଚଳ। ଏଥିପାଇଁ ଜୟପୁର ଏୟାରଷ୍ଟ୍ରିପ୍‌ରେ ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ଅଧାରୁ ଅଧିକ କାମ ଶେଷ ହୋଇଯାଇଥିବା ବେଳେ ବାକି ଥିବା କାର୍ଯ୍ୟ ଚଳିତ ମାସ ସୁଦ୍ଧା ଶେଷ ହୋଇଯିବ। ସେହିପରି ଡିଜିସିଏ ନିକଟରେ ଲାଇସେନ୍ସ ପାଇଁ କାଗଜପତ୍ର କାମ ପ୍ରାୟ ଶେଷ ହୋଇଯାଇଛି। ଚଳିତ ମାସ ଶେଷ ସପ୍ତାହରେ ଡିଜିସିଏ ନିକଟରେ ଲାଇସେନ୍ସ ପାଇଁ ଆବେଦନ କରିବ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିକଟରେ ଲାଇସେନ୍ସ ଫାଇଲ ରହିଥିବା ଜଣାପଡିଛି।

ଏଟିସିର ବରିଷ୍ଠ ଅଧିକାରୀଙ୍କ ସହ କମ୍ୟୁନିକେସନ ବିଭାଗର ୨ ଜଣ ବରିଷ୍ଠ ଇଞ୍ଜିନିୟର ଚଳିତ ସପ୍ତାହରେ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଆସିବେ ବୋଲି ସୂଚନା ମିଳିଛି। ଏୟାର ଟ୍ରାଫିକ କଣ୍ଟ୍ରୋଲର ସମ୍ପନ୍ଧୀୟ ଭିତ୍ତିଭୂମିକୁ ଦେଖିବା ସହ ଏଟିସି ପ୍ରତିଷ୍ଠା ଦିଗରେ ଏହି ଅଧିକାରୀମାନେ କାର୍ଯ୍ୟ କରିବେ। ଏଥିପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତର ଆବଶ୍ୟକତା ରହିଥିବା ବେଳେ ସାଉଥକୋ ପକ୍ଷରୁ ୩୩ କେଭିର ବିଦ୍ୟୁତ ତାର ସହ ଉଚ୍ଚ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ବେଳକୁ ସ୍ଥାନୀୟ କିଛି ଲୋକ କେଁ ପୂରାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ବିଦ୍ୟୁତ ସଂଯୋଗ ପାଇଁ ୩ଟି ପୋଲ ବେସରକାରୀ ଜାଗାରେ ସ୍ଥାପନ କରାଯାଇଛି। ତେଣୁ ଆଜି ୱିସକୋ, ରାସ୍ତା ଓ ଗୃହ ବିଭାଗ ବରିଷ୍ଠ ଅଧିକାରୀ, ଆରଆଇଙ୍କ ସହ ଜଣେ ଅମିନ ଏହି ମାପଚୁପ କରିଥିଲେ। ବେସରକାରୀ ଜମିରେ ରହିଥିବା ଖୁଣ୍ଟକୁ ସରକାରୀ ଜମିରେ ସ୍ଥାପନ କରି ବିଦ୍ୟୁତ ତାରକୁ ଟଣାଯିବ ବୋଲି କତ୍ତୃର୍ପକ୍ଷ କହିଛନ୍ତି।

By amfnews

Related Post