Fri. May 22nd, 2026

ଖଇନି ନଦେବାରୁ ଗଳାକାଟି ମହିଳାଙ୍କୁ ହତ୍ୟା

172 Views

ଯୋଡ଼ା : ଖଇନି ନଦେବାରୁ ଗଳାକାଟି ମହିଳାଙ୍କୁ ହତ୍ୟ‌ା। ଏଭଳି ଅଭାବନୀୟ ଘଟଣା ଘଟିଛି ବାମେବାରୀ ଥାନା ଲହୁଣିପଶି ଗ୍ରାମ ଜଙ୍ଗଲରେ। ମୃତ ମହିଳାଜଣଙ୍କ ହେଲେ ସେହି ଗ୍ରାମର ଶୁକୁରମୁନି ମୁଣ୍ତା (୫୦)। ଘଟଣାର ୩ ଦିନ ପରେ ପୁଲିସ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି। ଫେରାର୍‌ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି।

ଶୁକୁରମୁନିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ତାଙ୍କ ସମ୍ପର୍କୀୟ ଦିଅର। ପୂର୍ବରୁ ଉଭୟ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ରକରି ବିବାଦ ଥିଲା। ଶୁକୁରମୁନି ଗତ ୧୫ ତାରିଖ ଦିନ ୨ଟା ବେଳେ ଗ୍ରାମ ଜଙ୍ଗଲରେ ଗାଈ ଚରାଉଥିଲେ। ଏହି ସମୟରେ ଅଭିଯୁକ୍ତଜଣଙ୍କ ତାଙ୍କୁ ଖଇନି ଖାଇବାକୁ ମାଗିଥିଲା। ଶୁକୁରମୁନି ଖଇନି ନଦେବାରୁ ଅଭିଯୁକ୍ତ ତାଙ୍କୁ ଏକ ଧାରୁଆ କାତିରେ ଆକ୍ରମଣ କରିଥିଲା। ଅତି ନିର୍ମମ ଭାବେ ଶୁକୁରମୁନିଙ୍କ ଗଳା କାଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲା। ଘଟଣାଦିନ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ଏ ସମ୍ପର୍କରେ ସୂଚନା ମିଳିଛି ବୋଲି ବାମେବାରୀ ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ ଦୀର୍ଘ ତିନିଦିନ ହେଲା ଶୁକୁରମୁନି ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳେ ଶୁକୁରମୁନିଙ୍କ ଗଳିତ ଶବ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ ତାଙ୍କ ସ୍ବାମୀ ଲାଳିଆ ମୁଣ୍ତା। ଏନେଇ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଏନେଇ ପୁଲିସ କେସ୍‌ ନମ୍ବର ୧୦୨/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post