Sat. Apr 25th, 2026

କୋଲ୍‌କାତା ସ୍କୁଲ୍‌ରୁ ମୁହଁରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଗୁଡ଼ାହୋଇଥିବା ୧୦ମ ଶ୍ରେଣୀ ଝିଅର ଶବ ଉଦ୍ଧାର

242 Views

କୋଲ୍‌କାତା : ମୁହଁରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଗୁଡ଼ାହୋଇ ଥିବା ଅବସ୍ଥାରେ ଦକ୍ଷିଣ କୋଲ୍‌କାତାର ଗୋଟାଏ ସ୍କୁଲ୍‌ ଓ୍ଵାସ୍‌ରୁମ୍‌ ମଧ୍ୟରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ୧୦ମ ଶ୍ରେଣୀ ଝିଅର ଶବ ଉଦ୍ଧାର କରାଯାଇଛି। ତା’ ହାତର ବାମ କଚଟିରେ କ୍ଷତ ଚିହ୍ନ ଥିବା କଥା ପୁଲିସ କହିଛି।

ରାଣୀକୁଠି ଅଞ୍ଚଳରେ ଥିବା ସେ ସ୍କୁଲ୍‌ର କର୍ତ୍ତୃପକ୍ଷମାନେ କ୍ଲାସ୍‌ରେ ଟପର୍‌ ହେଉଥିବା ସେ ଝିଅ ବିଷୟରେ ପୁଲିସକୁ ଖବର ଦେଇଥିଲେ। ତାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆ ଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଛି ବୋଲି ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ବାମ ହାତରେ ଥିବା କ୍ଷତ ସେ ଝିଅଟି ନିଜେ କରିଛି। କିନ୍ତୁ, ତାହା ମୃତ୍ୟୁର କାରଣ ନୁହେଁ ବୋଲି ଡାକ୍ତରମାନେ କହିଛନ୍ତି। ମୃତ୍ୟୁର ସ୍ପଷ୍ଟ ଚିତ୍ର ପାଇଁ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି।

ଝିଅର ଶବ ପାଖରୁ ପୁଲିସ ଅଳ୍ପ କେତେ ଫର୍ଦ୍ଦ ହାତ ଲେଖା କାଗଜ ପାଇଛି। ସେଥିରେ ଲେଖା ଅଛି କି, ଝିଅଟି ଏତେ ଚାପରେ ଥିଲା ଯେ ଗତ ତିନି ମାସ ହେବ ତାକୁ ଭଲ ନିଦ ହେଉ ନ ଥିଲା। ଏ ସଂକ୍ରାନ୍ତରେ ପୁଲିସ ତାଙ୍କର ବାମାମାଆଙ୍କୁ ପଚାରା ଉଚୁରା କରୁଛି।

ଘଟଣାଟି ହତ୍ୟା କି, ଆତ୍ମହତ୍ୟା ଏବେ ଠିକ୍‌ କହି ହେଉ ନାହିଁ ବୋଲି ପୁଲିସ କହିଛି। ଏବେ ଘଟଣାର ତଦନ୍ତ ଚାଲିଛି। ଘଟଣାସ୍ଥଳର ଫରେନ୍‌ସିକ୍‌ ବିଶେଷଜ୍ଞମାନେ ପ୍ରମାଣ ସଂଗ୍ରହ କରୁଛନ୍ତି। ଏ ସଂକ୍ରାନ୍ତରେ ସ୍କୁଲ୍‌ ତରଫରୁ କିଛି କୁହାଯାଉ ନାହିଁ।

By amfnews

Related Post