Thu. Jun 4th, 2026

କେବୁଲ କର୍ମଚାରୀଙ୍କୁ ନବରଙ୍ଗପୁର ଏସ୍‌ପିଙ୍କ ମାଡ ଅଭିଯୋଗର ତଦନ୍ତ କରିବେ ଡିଆଇଜି

424 Views

ନବରଙ୍ଗପୁର: ନବରଙ୍ଗପୁର ଏସପି ବିବେକାନନ୍ଦଙ୍କ ଶର୍ମାଙ୍କ ନାମରେ ଅାସିଥିବା ନିର୍ଯାତନା ଅଭିଯୋଗର  ତଦନ୍ତ ଡିଆଇଜି କରିବା ପାଇଁ ସୋମବାର ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ପରେ ରିପୋର୍ଟ ଦେବାକୁ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ସରକାରୀ ବାସଭବନକୁ କାମ କରିବାକୁ ଆସିଥିବାବଳେ ବାବୁଲା ଭତ୍ରା ନାମକ ଜଣେ କେବୁଲ କର୍ମଚାରୀଙ୍କୁ ଏସପି ନିର୍ଯାତନା ଦେଉଥିବା ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖରେ ବାବୁଲା ଭତ୍ରା ଏସପିଙ୍କ ସରକାରୀ ଘରେ କାମ କରୁଥିଲେ। ସେ ଘରର ଆଲମିରା ଆଡେଇ କାମ କରୁଥିବାବେଳେ ବିବେକାନନ୍ଦ ଶର୍ମା ହଠାତ ପହଞ୍ଚି ଏଣୁତେଣୁ ପ୍ରଶ୍ନ ପଚାରିବା ସହ ମାଡ ମଧ୍ୟ ମାରିଥିଲେ । ପରେ ସେ ଗଣମାଧ୍ୟମକୁ କିଛି ନ କହିବା ପାଇଁ ପ୍ରଲୋଭନ ଦେଖାଇ ପ୍ୟାଣ୍ଟ, ସାର୍ଟ ଓ ଜାକେଟ କିଣି ଦେଇଥିଲେ।

ଏ ନେଇ ଏକ ଅଡିଓ ଟେପ୍‌ ବି ଜାରି କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି । ଏହି ଅଡିଓ ଟେପରେ ପାପଡାହାଣ୍ଡି ଥାନା ଅଧିକାରୀ ତାରିକ ଅହମ୍ମଦ ଓ ନିର୍ଯାତନା ପାଇଥିବା ଯୁବକଙ୍କ କଥାବର୍ତ୍ତା ହେଉଥିବା ଦାବି କରାଯାଇଛି । ପାପଡାହାଣ୍ଡି ଥାନା ଅଧିକାରୀ ବାବୁଲା ଭତ୍ରାଙ୍କୁ ମାମଲା ରଫାଦଫା କରିବାକୁ ଚାପ ପକାଇଥିବା ଅଡିଓରେ ଦର୍ଶାଯାଇଛି ।

ଘଟଣା ନେଇ ଜିଲ୍ଲା ଏସପି ଆଗାମୀ ୪ ତାରିଖ ସୁଦ୍ଧା କ୍ଷମା ନମାଗିଲେ ନବରଙ୍ଗପୁର ବନ୍ଦ କରିବାକୁ ପ୍ରଦୀପ ମାଝି ଧମକ ଦେଇଛନ୍ତି । ତେବେ ପାପଡାହାଣ୍ଡି ଥାନା ଅଧିକାରୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ପ୍ରଦୀପ ପୁଲିସ ଉପରେ ଚାପ ପ୍ରୟୋଗ କରିବାକୁ ଉଦ୍ୟମ କରୁଛନ୍ତି ।

By amfnews

Related Post