Sat. Jul 25th, 2026

କେନ୍ଦୁଝର : ଟଙ୍କାକର ଚାଉଳ ପାଇଁ ୫୦ ଟଙ୍କା ଖର୍ଚ୍ଚ

254 Views

କେନ୍ଦୁଝର : ଟଙ୍କାକର ଚାଉଳ ପାଇଁ ୫୦ ଟଙ୍କା ଖର୍ଚ୍ଚ। ଏମିତି ଦହଗଞ୍ଜ ହେଉଛନ୍ତି ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ କେନ୍ଦୁଘାଟିର ହିତାଧିକାରୀମାନେ। ଗୁହାରି, ନିବେଦନ, ଦାବି କରିବା ପରେ ଭୋଟ ବର୍ଜନ କଲେ। ତଥାପି ସେମାନଙ୍କ ଦାବି ପୂରଣ ହୋଇପାରିଲାନାହିଁ। ଆଜି ବି କେନ୍ଦୁଘାଟିବାସୀଙ୍କ ଜୀବନ ନଈରେ ବନ୍ଧା ହୋଇଛି। ବର୍ଷର ୩/୪ ମାସ ଜଳବନ୍ଦୀ ହୋଇ ରହୁଛନ୍ତି। ଗାଁର ତିନି ପାର୍ଶ୍ବରେ ଦୁଇଟି ନଦୀ- ବୈତରଣୀ ଓ ମାଲଦା ନଦୀ ବହି ଯାଇଛି। ଗୋଟିଏ ପାର୍ଶ୍ବରେ କାଳିମାଟି ପାହାଡ଼। ଏକପ୍ରକାର ବନ୍ଦୀ ଅବସ୍ଥା। ବର୍ଷା ୩/୪ ମାସ ଟଙ୍କିକିଆ ଚାଉଳ ପାଇଁ ସେମାନଙ୍କୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। କେନ୍ଦୁଘାଟି ଗ୍ରାମରୁ ପଞ୍ଚାୟତ କାର୍ଯ୍ୟାଳୟ ଫୁଲଝର ୫-୬ କିଲୋମିଟର ରାସ୍ତା। ନଦୀରେ ପୋଲ ନାହିଁ। ଲୋକମାନେ ଅଣ୍ଟାଏ ପାଣିରେ ପଶି ପାରି ହେଉଛନ୍ତି। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସ୍ରୋତ ପ୍ରଖର ଥିଲେ ବି ଅନ୍ୟଗତି ନାହିଁ। ସମସ୍ତେ ଗରିବ ଆଦିବାସୀ ଶ୍ରେଣୀର। ଚାଷରରୁ ଯାହା ରୋଜଗାର ହୁଏ, ସେତିକିରେ ପେଟ ପୂରେ ନାହିଁ। ଟଙ୍କିକିଆ ଚାଉଳ ନେବା ପାଇଁ ଫୁଲଝର ପଞ୍ଚାୟତ କାର୍ଯ୍ୟାଳୟକୁ ନଦୀରେ ପଶି ଆସନ୍ତି। ନଦୀକୂଳରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବାରେ ଅଟୋ ଭଡ଼ା ୫୦ ଟଙ୍କାରୁ ଅଧିକ ତାଙ୍କର ଖର୍ଚ୍ଚ ହୋଇଥାଏ। ତାଙ୍କ ଗାଁରେ ଚାଉଳ ଦେବା ପାଇଁ ବର୍ଷ ବର୍ଷ ଧରି କେନ୍ଦୁଘାଟିବାସୀ ଦାବି କରୁଥିଲେ ହେଁ ତାହା ହେଉନାହିଁ। ବୈତରଣୀ ନଦୀରେ ଏକ ପୋଲ ନିର୍ମାଣ ହୋଇଗଲେ ସେମାନଙ୍କର ଦୁଃଖ ସରିଯାଆନ୍ତା ବୋଲି ଗ୍ରାମାବସୀ କହିଛନ୍ତି। ଅନେକ ସମୟରେ ଲୋକମାନେ ହୁଲିଡଙ୍ଗାରେ ପାର ହୋଇଥାଆନ୍ତି। ସେଥିରେ ମାତ୍ର ୪ରୁ ୫ ଜଣ ଯାଇପାରିବେ। ସେଠାରେ ଆଣ୍ଠେଇକି ବସିବାକୁ ପଡ଼େ। ତଥାପି ପ୍ରଶାସନର ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟ ର ବିଷୟ‌।

By amfnews

Related Post