Fri. Jun 12th, 2026

କେନାଲ୍‌ରେ ଭାସି ଯାଉଥିବା ଅସୁସ୍ଥ ମଧ୍ୟ-ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଦୁଇ ବାଳକ ବନ୍ଧୁ

204 Views

ଜୟପୁର: ଶୁକ୍ରବାର ସକାଳ ପ୍ରାୟ ୮ଟା ବେଳେ ସ୍ଥାନୀୟ ବାଇପାସ୍‌ କେନାଲ୍‌ ରୋଡ୍‌ ଅଞ୍ଚଳରେ ପ୍ରବାହିତ କେନାଲ୍‌ରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ବାଳକ ଉଦ୍ଧାର କରିଛନ୍ତି।

ଭାସି ଯାଉଥିବା ମଧ୍ୟ-ବୟସ୍କ ବ୍ୟକ୍ତିଜଣକ ହେଉଛନ୍ତି ଜୟପୁର ସହର ଅନ୍ତର୍ଗତ ଗାନ୍ଧୀଛକ ବାସିନ୍ଦା ବାଲାଜୀ ସାହୁ। ସକାଳ ବୁଲାରେ ଯାଇଥିବା ବାଲାଜୀ ହଠାତ୍‌ ଅଶ୍ୱସ୍ତି ଅନୁଭବ କରିବାରୁ କେନାଲ ବନ୍ଧରେ ବସିପଡ଼ିଲେ। ବସିଥିବା ଅବସ୍ଥାରେ ଖୁବ୍‌ ଜୋର୍‌ରେ ତାଙ୍କ ମୁଣ୍ଡ ବୁଲାଇ ଦେବାରୁ ସେ କେନାଲ ବନ୍ଧରୁ ଗଡ଼ି ଗଡ଼ି ପାଣିରେ ପଡ଼ି ସୁଅରେ ଭାସି ଯାଉଥିଲେ। ଏତିକିବେଳେ ସେ ବାଟ ଦେଇ ସକାଳ ବୁଲାରେ ଯାଉଥିବା ଦୁଇ କିଶୋର ସାଙ୍ଗ ସଞ୍ଜୟ ପୂଜାରୀ ଓ କିଷାନ ମାଝୀଙ୍କ ନଜର ଭାସି ଯାଉଥିବା ବାଲାଜୀଙ୍କ ଉପରେ ପଡ଼ିଥିଲା। ସେମାନେ ତୁରନ୍ତ କେନାଲ୍‌କୁ ଲମ୍ଫ ଦେଇ ବାଲାଜୀଙ୍କୁ ଉଦ୍ଧାର କରି କେନାଲ ବନ୍ଧ ଉପରକୁ ନେଇ ଆସିଥିଲେ।

ଖବର ପାଇ ଜୟପୁର ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଲାଜୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କଥା ଡାକ୍ତରଖାନା ତରଫରୁ ପ୍ରକାଶ।

ଦୁଇ ବାଳକ ବନ୍ଧୁଙ୍କର ସାହସିକ ଓ ମହତ୍‌ କାର୍ଯ୍ୟକୁ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରୁଛନ୍ତି।

By amfnews

Related Post