Thu. May 14th, 2026

କେତେ ତଳକୁ ଖସିପାରେ ପାକିସ୍ତାନ: କେନ୍ଦ୍ର ମନ୍ତ୍ରୀ ହରସୀମରତ କୌର

206 Views

ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ଶିଖ୍‌ ପୁରୋହିତଙ୍କ ଝିଅଙ୍କୁ ଅପହରଣ ପରେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇ ତାଙ୍କୁ ଜଣେ ମୁସଲିମ୍‌ ଯୁବକ ଜୋର୍‌ ଜବରଦସ୍ତ ବିବାହ କରିବା ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଖୁବ ଜୋରରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ହରସୀମରତ କୌର | ସେ କହିଛନ୍ତି ଯେ ଇମ୍ରାନ ଖାନ କାଶ୍ମୀରବାସୀଙ୍କ ଅଧିକାରର କଥା କହୁଛନ୍ତି | କିନ୍ତୁ ପାକିସ୍ତାନରେ ଏକ ଶିଖ ଝିଅ ସହ ହୋଇଥିବା ଅତ୍ୟାଚାର ତାଙ୍କୁ ଦେଖାଯାଉନାହିଁ କି | କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ହିଁ ପ୍ରମାଣିତ କରୁଛି ପାକିସ୍ତାନ କେତେ ତଳକୁ ଖସିପାରେ |

ଏଠାରେ ସୂଚନା ଥାଉ କି ୧୯ ବର୍ଷୀୟା ଏହି ଯୁବତୀଙ୍କୁ ମହମ୍ମଦ ଏହସାନ୍‌ ନାମକ ଜଣେ ମୁସଲିମ ଯୁବକ ବଳପୂର୍ବକ ବିବାହ କରିଛନ୍ତି। ଯୁବତୀଙ୍କ ପିତା ଭଗବାନ ସିଂହ ଗୁରୁଦ୍ବାର ତମ୍ବୁ ସାହେବ , ନାନ୍‌କନ ସା‌ହେବ୍‌ରେ ଗ୍ରନ୍ଥି ଅଛନ୍ତି। ସେ ଅଭି‌ଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଅପହରଣ କରିନେବାପରେ ବନ୍ଧୁକ ମୁନରେ ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟ କରାଯାଇଥିଲା ଏବଂ ଜଣେ ମୁସ୍‌ଲିମ ଯୁବକ ସହ ବିବାହ କରାଯାଇ ଦିଆଯାଇଥିଲା।

ବିବାହର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ପାକିସ୍ତାନ ପୁଲିସ ଏହସାନ୍‌ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏହି ଘଟଣା‌ ଏବେ ଭାରତରେ ମଧ୍ୟ କିଛି ସ୍ଥାନରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି।

By amfnews

Related Post