Sat. Sep 26th, 2026

କୂଅ ଭିତରୁ ଯୁବକଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

310 Views

ଭଞ୍ଜନଗର, ଜାନୁଆରୀ ୦୨ : ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଗୋଛା ଗାଁ ଶ୍ମଶାନ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ମୃତ ଯୁବକଙ୍କର କିଛି ଲୋକଙ୍କ ସହିତ ବଚସା ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସୋରଡ଼ା ଥାନା ବାଲାପାଙ୍କା ଗ୍ରାମର କେ ବେଣୁଧର ମଲ୍ଲିକ ନାମକ ଜଣେ ୪୫ ବର୍ଷୀୟ ଯୁବକଙ୍କ ମୃତଦେହ ଗୋଛି ଗ୍ରାମ ଶ୍ମଶାନ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ପଡ଼ିଥିବା ଜଣାପଡ଼ିଥିଲା। ଗ୍ରାମବାସୀ ଏ ନେଇ ଟୁପୁରୁଟାପୁରୁ ହେବା ପରେ କଥା ସୋରଡ଼ା ଥାନାରେ ପହଞ୍ଚିଥିଲା। ପୁଲିସ ଦମକଳବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚି ଏହି ପଥର କୂଅ ଭିତରୁ କେ ବେଣୁଧର ମଲ୍ଲିକଙ୍କ ମୃତଦେହ ଉଦ୍ଧାର କରିଥିଲା। ଖବର ପାଇ ମୃତ ଶ୍ରୀ ମଲ୍ଲିକଙ୍କ ପରିବାର ଲୋକେ ବାଲାପାଙ୍କାରୁ ଆସି ଗୋଛି ଗ୍ରାମରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି।

ତେବେ ଗତକାଲି ସନ୍ଧ୍ୟାରେ ମୃତ ଶ୍ରୀ ମଲ୍ଲିକଙ୍କର କେତେକ ଲୋକଙ୍କ ସହିତ ପାଟିତୁଣ୍ଡ ହେବା ଓ ଆଜି ସକାଳୁ ତାଙ୍କ ମୃତଦେହ କୂଅ ଭିତରୁ ମିଳିବା ଘଟଣା ନେଇ ନାନା କଥା ଚର୍ଚ୍ଚା ହେଉଛି। ଶ୍ରୀ ମଲ୍ଲିକଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

By amfnews

Related Post