Sun. Apr 26th, 2026

କଲାମ୍‌ ଦ୍ୱୀପରୁ ଅଗ୍ନି-୨ର ସଫଳ ପରୀକ୍ଷା

223 Views

ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସ˚ସ୍ଥା (ଡିଆର୍‌ଡିଓ) ପକ୍ଷରୁ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ କଲାମ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-୨ କ୍ଷେପଣାସ୍ତ୍ରର ଲମ୍ବ ୨୦ ମିଟର, ମୋଟେଇ ୧.୩ ମିଟର, ଓଜନ ୧୭ ଟନ୍‌ ଥିବା ବେଳେ ଏହା ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି। ସେକେଣ୍ଡ ପିଛା ୩.୯ କିଲୋମିଟର ବେଗରେ ଗତି କରୁଥିବା ଅଗ୍ନି-୨ର ମାରକ କ୍ଷମତା ୨୦୦୦ କିଲୋମିଟରରୁ ଅଧିକ। ପରୀକ୍ଷଣ ପାଇଁ ସକାଳ ୭ଟାରୁ କୋଷ୍ଟଗାର୍ଡ ଓ ମେରାଇନ୍‌ ଥାନା ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଆଜିର ଏହି ପରୀକ୍ଷଣ ଭାରତୀୟ ସ୍ଥଳସେନାର ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ତୋଙ୍କ ଦ୍ବାରା କରାଯାଇଥିବା ବେଳେ ପାଖାପାଖି ୩ ଶହରୁ ଅଧିକ ବୈଜ୍ଞାନିକ ଉପସ୍ଥିତ ଥିଲେ। ନାଭିଗେସନ୍‌ ସିଷ୍ଟମ ଓ ଗ୍ଲୋବାଲ୍‌ ପୋଜିସନି˚ ସିଷ୍ଟମ୍‌ରେ ଦେଶର ୩ଟି ଅତ୍ୟାଧୁନିକ ରାଡାର୍‌ ଏହାର ଗତିବିଧି ନିରୀକ୍ଷଣ କରିଥିଲା।

ଏହା ପୂର୍ବରୁ ୧୯୯୯ ମସିହା ଏପ୍ରିଲ ୧୧ରେ ଅଗ୍ନି-୨ର ପରୀକ୍ଷଣ କରାଯାଇଥିବା ବେଳେ ୨୦୧୧ ମସିହା ନଭେମ୍ବର ୧୫, ୨୦୧୩ ଏପ୍ରିଲ ୭, ୨୦୧୪ ମସିହା ନଭେମ୍ବର ୯, ୨୦୧୫ ଏପ୍ରିଲ ୧୬, ୨୦୧୭ ମେ ୪, ୨୦୧୮ ଫେବ୍ରୁଆରି ୨୦ ତାରିଖରେ ଏହାର ସଫଳ ପରୀକ୍ଷଣ କରାଯାଇଥିବା ବେଳେ ଆଜି ଏହାର ପୁନଃ ପରୀକ୍ଷଣ ହୋଇଛି। ଗତବର୍ଷ ମଧ୍ୟ ରାତିରେ ଅଗ୍ନି-୫ର ପରୀକ୍ଷଣ କରାଯାଇଥିଲା।

By amfnews

Related Post