Wed. Jul 15th, 2026

କର୍ତାରପୁର ଯାତ୍ରୀଙ୍କ ପାଇଁ ୨ଟି ସର୍ତ୍ତ ଉଠାଇଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ

269 Views

ନୂଆଦିଲ୍ଲୀ: ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶର କର୍ତାରପୁରସ୍ଥିତ ଦାରବାର ସାହିବ ଗୁରୁଦ୍ୱାରକୁ ଯାଉଥିବା ଭାରତୀୟ ଯାତ୍ରୀମାନଙ୍କ ପାଇଁ ଶୁକ୍ରବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କେତେଗୁଡ଼ିଏ ରିହାତି ଘୋଷଣା କରିଛନ୍ତି।

ଖାଁ ଟୁଇଟ୍‌ କରିଛନ୍ତି: ଭାରତରୁ ତୀର୍ଥ କରିବା ପାଇଁ କର୍ତାରପୁର ଆସୁଥିବା ଶିଖ୍‌ମାନଙ୍କ ଲାଗି ମୁଁ ଦୁଇଟି ଆବଶ୍ୟକତା ଉଠାଇ ଦେଇଛି। ସେମାନଙ୍କର ପାସ୍‌ପୋର୍ଟ ଲୋଡ଼ା ନାହିଁ- ଖାଲି କାଏମ୍‌ ଥିବା ପରିଚୟପତ୍ର ଦରକାର। ୧୦ ଦିନ ଆଗରୁ ସେମାନେ ପଞ୍ଜିକରଣ କରିବା ଅନାବଶ୍ୟକ। ଉଦ୍‌ଘାଟନ ଦିନ ଏବଂ ଗୁରୁଜିଙ୍କ ୫୫୦ତମ ଜୟନ୍ତୀରେ ଫି’ ପଡ଼ିବ ନାହିଁ।

କିନ୍ତୁ ଯାତ୍ରୀ ଦେୟ ବାବଦରେ ୨୦ ଡଲାର୍‌ ସମ୍ପୂର୍ଣ୍ଣ ଉଠାଇ ଦିଆଯାଉ ବୋଲି ଭାରତ ଦାବି କରି ଆସୁଛି। ଏ ସଂକ୍ରାନ୍ତରେ ତଥାପି କଥାବାର୍ତ୍ତା ଚାଲିଛି। କରିଡର୍‌ ବାଟେ ଦୈନିକ ୫୦୦୦ ଶିଖ୍‌ ପର୍ଯ୍ୟଟକଙ୍କୁ ସେଠାକୁ ଛାଡ଼ିବାକୁ ଉଭୟ ଦେଶ ରାଜି ହୋଇଛନ୍ତି। ନଭେମ୍ବର ୯ ତାରିଖ ଦିନ ଏହି କରିଡର୍‌ ଉଦ୍‌ଘାଟନ କରାଯିବ। ପ୍ରଥମ ଛେକ ଯାତ୍ରୀଙ୍କ ମଧ୍ୟରେ ରହିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଏବଂ ହର୍ଷିମ୍ରାତ୍‌ କୌର୍‌ ବାଦଲ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ନିମନ୍ତ୍ରଣ ରକ୍ଷା କରି ରାଜନେତା ପାଲଟିଥିବା କ୍ରିକେଟ୍‌ ଖେଳାଳି ନବଜୋତ୍‌ ସିଂହ ସିଦ୍ଧୁ ମଧ୍ୟ ଏହି ଅବସରରେ ସେଠାରେ ଉପସ୍ଥିତ ରହିବେ।

By amfnews

Related Post