Fri. Apr 24th, 2026

କରାଚି ନିକଟରେ ‘ପିଆଇଏ’ ବିମାନ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି, ୨ ଜୀବିତ, ଚାଲୁ ରହିଛି ଉଦ୍ଧାର କାର୍ଯ୍ୟ

333 Views

ନୂଆଦିଲ୍ଲୀ: ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍‌ସ୍ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟ ୯୭କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣା‌ରେ ଦୁଇ ଜଣ ମୃତ୍ୟୁ ମୁଖର ବଞ୍ଚିଯାଇଛନ୍ତି ବୋଲି ଜଣାପଡ଼ିଛି। ଲାହୋରରୁ କରାଚି ଆସୁଥିବା ଏହି ବିମାନଟି ଜିନ୍ନା ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ପୋର୍ଟରେ ଅବତରଣ ସମୟରେ କରାଚି ଉପନଗରରେ ଥିବା ମଡେଲ୍ କଲୋନି ଉପରେ ଖସି ପଡ଼ିଥିଲା।

ସିନ୍ଧ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂତ୍ରରୁ ଖବର ସଂଗ୍ରହ କରି ପାକିସ୍ତାନର ସମ୍ବାଦ ସଂସ୍ଥାନ ‘ଡନ୍’ କହିଛି ଯେ ୯୧ ଜଣ ଯାତ୍ରୀ ଏବଂ ୮ଜଣ ପରିଚାରକଙ୍କୁ ମିଶାଇ ବିମାନରେ ଥିବା ସମୁଦାୟ ୯୯ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୯୭ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜୀବିତ ଥିବା ଦୁଇ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ପ୍ରାପ୍ତ ସୂଚନା ଅନୁସାରେ, ବିମାନ ଅବତରଣ ପାଇଁ ଉଦ୍ୟମ କରିବା ବେଳେ ପାଇଲଟ୍ ଲ୍ୟାଣ୍ଡିଙ୍ଗ୍ ଗିଅର୍‌ରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖିନ ହୋଇଥିଲେ। ଏ ସଂକ୍ରାନ୍ତରେ ପାଇଲଟ୍ ଏୟାର୍‌ ଟ୍ରାଫିକ୍ କଣ୍ଟ୍ରୋଲ୍‌ଙ୍କୁ ଅବଗତ କରାଇଥିଲେ।

ବିମାନଟି ଖସିବ ପଡ଼ିବା ଯୋଗୁଁ ମଡେଲ୍ କଲୋନିରେ ପ୍ରାୟ ୪/୫ଟି ଘର ଏବଂ ୬/୭ଟି କାର୍ ଭାଙ୍ଗି ନଷ୍ଟ ହୋଇଯାଇଛି।

By amfnews

Related Post