Fri. Apr 24th, 2026

କମେଣ୍ଟ ମରାରୁ ଛାତ୍ରୀ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ପ୍ରେମିକ ଅଟକ

242 Views

ଭବାନୀପାଟଣା  :  କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଞ୍ଚଳରେ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଜଣେ ଛାତ୍ରୀ ଗତକାଲି କମେଣ୍ଟ ମରାରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ୍‌  ଅଭିଯୁକ୍ତ ପ୍ରେମିକ ରାକେଶ ପ୍ରଧାନକୁ ଅଟକ ରଖି ପଚରାଉଚରା କରୁଛି। ସେ  ନର୍ଲା କଲେଜର ଯୁକ୍ତ ତିନିର ଛାତ୍ର।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ  ପ୍ରାୟ ୨ଟା ବେଳେ ମଦନପୁର ରାମପୁର କଲେଜର ଜଣେ ଛାତ୍ରୀ ବସ୍‌ଷ୍ଟାଣ୍ଡରେ ମୁମୂର୍ଷୁ  ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି  ମଦନପୁର ରାମପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ଓ ପରେ ବଲାଙ୍ଗିର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।   ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଗତକାଲି ସନ୍ଧ୍ୟାରେ ମଦନପୁର ରାମପୁର ଥାନାରେ ଏତଲା ଦିଆଯାଇଥିଲା। ପ୍ରେମ ସମ୍ପର୍କ ଓ କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ବସ୍‌ଷ୍ଟାଣ୍ଡରେ ମାଡ଼ ମାରିଥିଲେ। ଲୋକ ଲଜ୍ଜାରେ ଛାତ୍ରୀ ଜଣକ ବିଷ ପିଇ ଦେଇଥିବା  ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

By amfnews

Related Post