Mon. Sep 7th, 2026

କଣିହାଁ ବ୍ଲକ୍‌ରେ ଭତ୍ତା ଟଙ୍କା ହଡ଼ପ ଘଟଣା ୮ ବର୍ଷ ତଳର ଫାଇଲ୍‌ ଖୋଲିଲା ଭିଜିଲାନ୍ସ

412 Views

କଣିହାଁ : ଗତ ୮ବର୍ଷ ପୂର୍ବେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ହୋଇଥିବା ଭତ୍ତା ଟଙ୍କା ଆତ୍ମସାତ ଘଟଣାର ପୁଣି ଥରେ ଖୋଳତାଡ଼ ଆରମ୍ଭ ହୋଇଛି। ସେତେବେଳେ ହୋଇଥିବା ଅଡିଟ୍‌ରୁ ୧୮ ଲକ୍ଷ ୨୫ ହଜାର ଭତ୍ତା ଟଙ୍କା ହଡ଼ପ ସଂପର୍କରେ ସୂଚନା ମିଳିଥିଲା। ଅଡିଟର ଏ ସମ୍ପର୍କରେ ତତ୍କାଳୀନ କଣିହାଁ ଏବିଡିଓ ଓ ବିଡିଓଙ୍କୁ ଜଣାଇଥିଲେ। ଘଟଣା ସଂପର୍କରେ ତତ୍କାଳୀନ ବିଡିଓ ଅନୁଗୁଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଘଟଣା ସଂକ୍ରାନ୍ତରେ ଅନୁଗୁଳ ଭିଜିଲାନ୍ସ ବିଭାଗକୁ ଏହାର ତଦନ୍ତ ଭାର ଦିଆଯାଇଥିଲା। ଅନୁଗୁଳ ଭିଜିଲାନ୍ସ ବିଭାଗର ତଦନ୍ତରୁ ବ୍ଲକ୍ କ୍ୟାସିୟର ନିରାକାର ରାଉଳ ଏଥିରେ ସଂପୃକ୍ତ ଥିବାର ସ୍ପଷ୍ଟ ହୋଇଥିଲା। ଭିଜିଲାନ୍ସ ବିଭାଗର ପରାମର୍ଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଶ୍ରୀ ରାଉଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ତେବେ ଆଜି ସକାଳେ ଅନୁଗୁଳ ଭିଜିଲାନ୍ସ ଡିଏସପି ତାଙ୍କ ଟିମ୍ ସହିତ କଣିହାଁ ବ୍ଲକ ଅଫିସ୍‌କୁ ଆସି ଏହି ଭତ୍ତା ଟଙ୍କା ଆତ୍ମସାତ ଘଟଣାର ପୁଣି ଖୋଳତାଡ଼ ଆରମ୍ଭ କରିଛନ୍ତି।

By amfnews

Related Post