Thu. Aug 13th, 2026
300 Views

କଟକ : କଟକ ମଧୁପାଟଣା ଥାନା ବେଲେଶ୍ୱର ଗାଁର ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ସେମାନଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି। ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ସେମାନଙ୍କର କେହି ଜଣାଶୁଣା ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। 

ପୁଲିସ୍‌ ସୂଚନା ଅନୁଯାୟୀ, ଉକ୍ତ ଦମ୍ପତିଙ୍କ ଝିଅ ରାତିରେ ଫୋନ୍ କରିଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ଫୋନ୍ ଉଠାଇ ନଥିଲେ। ଏହା ପରେ ତାଙ୍କ ଝିଅ ପାଖ ପଡ଼ୋଶୀଙ୍କୁ ଫୋନ୍‌ କରି ଏ ବିଷୟରେ ଜଣାଇଥିଲେ। ପଡ଼ୋଶୀ ଜଣଙ୍କ ବୃଦ୍ଧ ଦମ୍ପତିଙ୍କ ଘରକୁ ଯାଇଥିଲେ ଓ ସେମାନଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେତେବେଳେ ଘରର ଗେଟ୍ ଓ କବାଟ ସବୁ ଖୋଲା ଥିଲା। ଖବର ପାଇ କଟକ ଡିସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲେ । ଘରଟିକୁ ସିଲ୍‌ କରି ଦିଆଯାଇଥିବା ବେଳେ ପୁଲିସ୍‌ ମୁତୟନ ହୋଇଛନ୍ତି।

ଘରେ ଥିବା ଆଲମାରୀ ଖୋଲା ଥିବା ବେଳେ ଚୋରି ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ଆଜି ସକାଳେ ୪ ଜଣିଆ ଫୋରେନ୍‌ସିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚିବା ପରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି।

By amfnews

Related Post