Sat. Apr 25th, 2026

କଂଗ୍ରେସର ମହାରାଷ୍ଟ୍ର ସହଯୋଗୀ କେନ୍ଦ୍ର ସରକାରଙ୍କୁ ଦେଲା ସମର୍ଥନ

219 Views

ନୂଆଦିଲ୍ଲୀ: ବିଜେପି ଓ ଏନଡିଏକୁ ଛାଡ଼ପତ୍ର ଦେଇ ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ ମିଶି କ୍ଷମତା ଦଖଲ କରିଥିବା ଶିବସେନା ଲୋକସଭାରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ଶିବସେନାର ୧୮ ଜଣ ଯାକ ସାଂସଦ ସମର୍ଥନ କରିଛନ୍ତି।

ବିଲ ଉପରେ ଚାଲିଥିବା ବିତର୍କରେ ଭାଗନେଇ ଶିବସେନା କହିଛି ଯେ ସିଏବିକୁ ଦଳ ସମର୍ଥନ କରୁଛି। ହେଲେ ସିଏବି ଦ୍ୱାରା ଭାରତର ନାଗରିକତା ପାଉଥିବା ଅଣମୁସଲିମ ଶରଣାର୍ଥୀଙ୍କୁ କେନ୍ଦ୍ର ସରକାର ୨୫ ବର୍ଷ ଯାଏ ଭୋଟ ଦାନ କ୍ଷମତାରୁ ଦୂରେଇ ରଖିବା ଉଚିତ।

ଶିବସେନାର ବିନାୟକ ରାଉତ ବିଲକୁ ସମର୍ଥନ କରିଥିଲେ। କିନ୍ତୁ ସେ କହିଥିଲେ ଯେ “ଶରଣାର୍ଥୀଙ୍କୁ ନାଗରିକତା ଦେବା ବେଳେ ଦେଶର ଜନସଂଖ୍ୟା କଥା ମଧ୍ୟ ଦୃଷ୍ଟିରେ ରଖିବାକୁ ପଡ଼ିବ। ଶିବସେନା ପ୍ରତିଷ୍ଠାତା ବାଲ ଠାକରେ ସର୍ବଦା କହୁଥିଲେ ବେଆଇନ ଶରଣାର୍ଥୀଙ୍କୁ ଏଠାରୁ ବିଦା କରି ଏ ମାଟିର ପ୍ରକୃତ ସନ୍ତାନକୁ ସମସ୍ତ ସହଯୋଗ ମିଳିବା ଦରକାର। ତେଣୁ କେନ୍ଦ୍ର ସରକାର ଆଇନ କଲେ ଚଳିବ ନାହିଁ। ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିଯିବା ଉଚିତ।”

ଗତକାଲି ମଧ୍ୟରାତ୍ରରେ ପାରିତ ହୋଇଥିବା ସିଏବି ସପକ୍ଷରେ ୩୧୧ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୮୦ ଖଣ୍ଡ ଭୋଟ ପଡ଼ିଥିଲା।

By amfnews

Related Post