Fri. Apr 24th, 2026

ଓଲଟି ପଡ଼ିଲା ଟ୍ରକ୍‌; ଆହତଙ୍କୁ ଉଦ୍ଧାର ନକରି ମାଛ ଗୋଟାଇବାରେ ବ୍ୟସ୍ତ ରହିଲେ ଲୋକେ

203 Views

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟି ଓଭର ବ୍ରିଜ୍‌ ଉପରୁ ଗତକାଲି ରାତିରେ ଏକ ମାଛ ବୋଝେଇ ଟ୍ରକ୍‌ ତଳକୁ ଖସି ପଡ଼ିଥିଲା। ମାଛ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିବା ଖବର ପାଇ ଆଖପାଖ ଲୋକେ ସେଠାରେ ପହଞ୍ଚିଥିଲେ। ହେଲେ ଖଣ୍ଡିଆଖାବରା ହୋଇ ପଡ଼ିଥିବା ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ଡାକ୍ତରଖାନା ନେବା ବଦଳରେ ସମସ୍ତେ ମାଛ ଗୋଟାଇବାରେ ଲାଗିପଡ଼ିଥିଲେ। ଏପରିକି ସେହି ରାସ୍ତାରେ କାର୍‌ ଓ ବାଇକ୍‌ରେ ଯାଉଥିବା ଲୋକେ ମଧ୍ୟ ଅଟକି ମାଛ ଗୋଟାଇଥିଲେ। କିଛି ସମୟ ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଟ୍ରକ୍‌ ଡ୍ରାଇଭର ମେହବୁଵ ବାଗତା ଓ ହେଲପର ଆକ୍ତର ଅଲ୍ଲୀଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଘର ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲ୍ଲାରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ମାଛ ବୋଝେଇ ଟ୍ରକ୍‌ଟି ଆନ୍ଧ୍ରପ୍ରଦେଶରୁ କୋଲକାତା ଅଭିମୁଖେ ଯାଉଥିଲା। ହେଲେ ବଡ଼ଘାଟି ଓଭର ବ୍ରିଜରେ ଟ୍ରକ୍‌ଟି ଭାରସାମ୍ୟ ହରାଇଥିଲା ଓ ତଳକୁ ଖସି ପଡ଼ିଥିଲା।  ପୁଲିସ୍‌ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

By amfnews

Related Post