Thu. May 21st, 2026

ଓଲଟିଲା ଗଞ୍ଜାମର ପୁରୁଷୋତ୍ତମପୁର ରାଜନୀତି : ଇସ୍ତଫା ପ୍ରତ୍ୟାହାର କରି ଦାୟିତ୍ବକୁ ଫେରିଲେ ଅଧ୍ୟକ୍ଷ

185 Views

ପୁରୁଷୋତ୍ତମପୁର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ରାଜନୀତି ଏବେ ନୂଆ ମୋଡ଼ ନେଇଛି। ଏକ ମାସ ପୂର୍ବରୁ ପଦ ଛାଡ଼ିଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। କାର୍ଯ୍ୟାଳୟକୁ ଯାଇ ପଦ ସମ୍ଭାଳିବା ସହ ଗୁରୁତ୍ବପୂର୍ଣ୍ଣ ୮ଟି ଫାଇଲ୍‌ରେ ଦସ୍ତଖତ କରିଛନ୍ତି।

ଗତ ଅକ୍ଟୋବର ୨୫ରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ହଠାତ୍ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଇଥିଲେ। ଶ୍ରୀ ପଣ୍ଡାଙ୍କ ଇସ୍ତଫା ପରେ ଜଣେ ସମିତି ସଭ୍ୟଙ୍କ ନେତୃତ୍ବରେ ପ୍ରାୟ ୨୨ଜଣ ସମିତି ସଭ୍ୟ ଅଜ୍ଞାତବାସରେ ଥିଲେ। ଗତ ୨୦ତାରିଖରେ ବିଦାୟୀ ଅଧ୍ୟକ୍ଷଙ୍କ ପୁଅ ସୁବ୍ରତ ପଣ୍ଡା ପୁରୁଷୋତ୍ତମପୁର ଥାନାରେ ତାଙ୍କ ବାପାଙ୍କୁ ଅପହରଣ କରି ନିଆ ଯାଇଥିବା ଏତଲା ଦେଇଥିଲେ। ଅଭିଯୋଗର କିଛି ଘଣ୍ଟା ନ ବିତୁଣୁ ବାପା ସୂର୍ଯ୍ୟନାରାୟଣ ପୁରୁଷୋତ୍ତମପୁର ଥାନାରେ ହାଜର ହୋଇ ସ୍ବଇଚ୍ଛାରେ ଇସ୍ତଫା ଦେଇଥିବା ଏବଂ ତାଙ୍କୁ ଅପହରଣ କରାଯାଇ ନଥିବା କହିଥିଲେ। ତାଙ୍କ ପୁଅ ନାବାଳକ ହୋଇଥିବା ବେଳେ ତାଙ୍କ ଉପରେ ବିଦ୍ରୋହୀ ଚାପ ପ୍ରୟୋଗ କରି ମିଥ୍ୟା ଏତଲା ଦିଆ ଯାଇଥିବା ଅଭିଯୋଗ ଆଣି ଥାନାରେ ପାଲଟା ଏତଲା ଦେଇଥିଲେ। ଏହାର ଠିକ୍‌ ୫ଦିନ ପରେ ଅର୍ଥାତ ଆଜି ସକାଳ ୧୦ଟାରେ ଇସ୍ତଫା ଦେଇଥିବା ଅଧ୍ୟକ୍ଷ ଶ୍ରୀ ପଣ୍ଡା ପୁରୁଷୋତ୍ତମପୁର ସମିତି କାର୍ଯ୍ୟାଳୟରେ ପହଁଞ୍ଚି ଇସ୍ତଫାପତ୍ର ପ୍ରତ୍ୟାହାର ନିମନ୍ତେ ବିଡିଓଙ୍କୁ ଲଖିତ ଭାବେ ଜଣାଇଥିଲେ। କିଛି ଖଳ ପ୍ରକୃତିର ଲୋକ ମୋତେ ଚାପ ପକାଇ, ବ୍ଲାକ୍‌ମେଲିଂ କରି ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ବୋଲି ସେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ତାଙ୍କ ଇସ୍ତଫା ଗ୍ରହଣ ନ କରି ଏତେଦିନ ଜିଲ୍ଲା ପ୍ରଶାସନ କିଭଳି ପକାଇ ରଖିଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏଥିରେ ବ୍ଲକ୍‌ ଓ ଜିଲ୍ଲା ପ୍ରଶାସନର ଭୂମିକା ସନ୍ଦେହ ଘେରକୁ ଆସିଛି। ସେହିଭଳି, ଅଧ୍ୟକ୍ଷଙ୍କ ଇସ୍ତଫା ପରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ଅପେକ୍ଷାରେ ଥିବା ବିଦ୍ରୋହୀଙ୍କ ଅଧ୍ୟକ୍ଷ ପଦ ଦଖଲ ଉଦ୍ୟମ ଫସର ଫାଟିଯାଇଛି। ତେବେ, ଅଧ୍ୟକ୍ଷଙ୍କ ବିରୋଧରେ ୨୪ଜଣ ସମିତି ସଦସ୍ୟ ଆଜି ଭୁବନେଶ୍ବରରେ ଡେରା ପକାଇଥିବାବେଳେ ଅନସ୍ଥା ଆଣିବା ଲାଗି ସଜବାଜ ହେଉଥିବା କୁହାଯାଉଛି।

By amfnews

Related Post