Fri. Jul 17th, 2026

ଏ ବର୍ଷ କେନ୍ଦୁପତ୍ର କାରବାର ୫୨୦ ‌କୋଟିକୁ ଖସିବ

247 Views

ଭୁବନେଶ୍ବର , ନଭେମ୍ବର ୦୧: ୨୦୧୭ରେ ରାଜ୍ୟରେ କେନ୍ଦୁପତ୍ର ବିକ୍ରିରୁ ମୋଟ ୬୫୧ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ସେଥିମଧ୍ୟରୁ ବର୍ତମାନ ସୁଦ୍ଧା କେନ୍ଦୁପତ୍ର ତୋଳାଳିମାନଙ୍କୁ ପତ୍ର ମୂଲ୍ୟ ବାବଦରେ ୧୫୯ କୋଟି, ବୋନସ ବାବଦରେ ୧୬୦ କୋଟି, ବିଭିନ୍ନ ସହାୟତା ନିମନ୍ତେ ୮୦ କୋଟି ଏହିପରି ପ୍ରାୟ ୪୦୦ କୋଟି ବଣ୍ଟନ କରାଯାଇଛି। ଅବଶିଷ୍ଟ ଅର୍ଥ କେନ୍ଦୁପତ୍ର ମଙ୍ଗଳ ପାଣ୍ଠିରେ ଗଚ୍ଛିତ ରହିଛି। କିନ୍ତୁ ଚଳିତ ବର୍ଷ କେନ୍ଦୁପତ୍ର କାରବାର ପ୍ରାୟ ୫୨୦ କୋଟିକୁ ଖସିବ ବୋଲି ଆକଳନ କରାଯାଇଛି। କେନ୍ଦୁପତ୍ର କାରବାର ଏକ ଅନିଶ୍ଚିତ ଜୀବିକା ହୋଇଥିବାରୁ ପତ୍ର ତୋଳାଳୀମାନଙ୍କୁ ବିକଳ୍ପ ଜୀବିକା ସଂପର୍କରେ ସଚେତନ କରାଇବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର ସମନ୍ବୟ ସମିତି ବୈଠକରେ ଏଭଳି ସୂଚନା ମିଳିଛି। ଏ ନେଇ ସୂଚନା ଦେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(କେନ୍ଦୁପତ୍ର) ଡ. ଅଜୟ କୁମାର ମହାପାତ୍ର କହିଥିଲେ ଯେ ଜଳବାୟୁର ପ୍ରତିକୂଳ ପ୍ରଭାବ ଯୋଗୁଁ କେନ୍ଦୁଗଛ ବୁଦା ଓ ପତ୍ରଗୁଡ଼ିକରେ ଜୈବିକ ପରିବର୍ତନ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନିମନ୍ତେ ପ୍ରାୟ ୫୨୦ କୋଟିର ପତ୍ର କାରବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସେ ସୂଚନା ଦେଇଥିଲେ।

ଆଗାମୀ ଦିନରେ କେନ୍ଦୁପତ୍ର କାରବାର ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହା ଉପରେ ନିର୍ଭରଶୀଳ ତୋଳାଳି, ବନ୍ଧାଳି ଓ ଅନ୍ୟମାନଙ୍କ ପାଇଁ ବିଭିନ୍ନ ବିଭାଗ ସହ ସମନ୍ବିତ ଭାବେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ ପ୍ରସ୍ତାବ ଦେଇଥିଲେ। ବୈଠକର ସୂଚନାନୁସାରେ ସରକାରୀ ନିଷ୍ପତ୍ତି ଅନୁଯାୟୀ କେନ୍ଦୁପତ୍ର ସଂଗ୍ରହକାରୀଙ୍କ ପାଇଁ ବୀମା ପ୍ରିମିୟମ ରାଶି ଅଧିକ ହାରରେ ଜମା କରାଯିବା ସହିତ ବୀମା ସହାୟତା ରାଶିକୁ ବୃଦ୍ଧି କରାଯାଇଛି। ତୋଳାଳିଙ୍କ ମୃତ୍ୟୁ ଘଟଣାରେ ଅନୁକମ୍ପାମୂଳକ ସହାୟତା ରାଶି ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ବୀମା ରାଶିକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି।

By amfnews

Related Post