Sun. Apr 26th, 2026

ଏରସମାରେ ଦାମଙ୍କ ସ୍ବାଭିମାନ ସମାବେଶ : ଯୋଗ ଦେଲେନି ବୈଜୟନ୍ତ; ଚୁପ୍‌ ରହିଲେ ପଞ୍ଚାନନ

396 Views

ଜଗତସିଂହପୁର/ଏରସମା : ଏରସମାରେ ସ୍ବାଭିମାନ ସମାବେଶ ଜରିଆରେ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଉଦ୍ୟମ କରିଛନ୍ତି ବିଜେଡିରୁ ବିତାଡିତ ବିଧାୟକ ଡାକ୍ତର ଦାମୋଦର ରାଉତ। ପୂର୍ବରୁ ବ୍ୟାପକ ପ୍ରଚାର ସତ୍ବେ ଏହି ସମାବେଶରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇ ନାହାନ୍ତି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ସମାବେଶ ମଞ୍ଚରେ ଉପସ୍ଥିତ ଥାଇ ବି ବକ୍ତବ୍ୟ ନ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସମାବେଶରେ ଦାମ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅତ୍ୟନ୍ତ କଟୁ ଶବ୍ଦରେ ସମାଲୋଚନା କରିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର କୌଣସି ଗୁଣ ନବୀନଙ୍କ ନିକଟରେ ନାହିଁ।

ବାଲିକୁଦା-ଏରସମା ଦୁର୍ନୀତି ପ୍ରତିରୋଧ ସଂଗ୍ରାମ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ସମାବେଶରେ ଯୋଗ ଦେଇ ଦାମ କହିଛନ୍ତି ଯେ ସରକାରର ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ବୋଲି ତାଙ୍କୁ ଦଳରୁ ବହିଷ୍କାର କରାଗଲା। ସମାବେଶରେ ଦାମ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ବି ଜୋରଦାର ସମାଲୋଚନା କରିଥିଲେ। କଂଗ୍ରେସ ନେତା ତଥା ଅନୁଷ୍ଠାନର ଆବାହକ ଶାରଦା ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ କହିଥିଲେ ଯେ ଖୁବଶୀଘ୍ର ବିଜେଡି ସରକାରର ପତନ ହେବ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଥିଲେ ଯେ , ରାଜ୍ୟ ମନ୍ତ୍ରିମଣ୍ଡଳରେ ଆଜି କେହି ବରିଷ୍ଠ ନେତା ନାହାନ୍ତି। କୁରୁ ବଂଶ ଧ୍ୱଂସ ପାଇବା ପରି ଏହି ଦଳ ନିଶ୍ଚିତ ଭାବେ ଧ୍ବଂସ ପାଇଯିବ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମଞ୍ଚରେ ଉପସ୍ଥିତ ଥାଇ ମଧ୍ୟ ଉଦ୍‌ବୋଧନ ଦେଇ ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ସୁଧୀର ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ନିରାକର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଏକ ଶେଭାଯାତ୍ରାରେ ଦାମ ଓ ଅନ୍ୟମାନେ ବାଲିକୁଦା ରାସ୍ତାରେ ଯାଇ ଏରସମାରେ ପହଞ୍ଚିଥିଲେ। ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା।

By amfnews

Related Post