Sun. Apr 26th, 2026

ଏନ୍‌କାଉଣ୍ଟର ପରେ ବି ଥମୁନି ଲୁଟେରାଙ୍କ ଉପଦ୍ରବ, ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଲୁଟ୍‌

296 Views

ଭୁବନେଶ୍ବର  : କମିସନରେଟ୍‌ ପୁଲିସ ଲଗାତାର ୨ଦିନରେ ୫ଜଣ କୁଖ୍ୟାତ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ କରିବା ପରେ ମଧ୍ୟ ରାଜଧାନୀ‌ରେ ଲୁଟେରାଙ୍କ ଉପଦ୍ରବ ଥମିବାର ନାଁ ଧରୁନି। ଆଜି ରାଜଧାନୀରୁ ପୁଣି ଏକ ଲୁଟ୍‌ ହୋଇଛି। ଲୁଟ୍‌ ହୋଇଥିବା ସ୍ଥାନ କୌଣସି ଅପହଞ୍ଚ କିମ୍ବା ଅନ୍ଧାରିଆ, ନିଛାଟିଆ ରାସ୍ତା ନୁ‌ହେଁ। ବାଣୀବିହାର ଛକ ନିକଟ ଡିସିପିଙ୍କ ଅଫିସ୍‌ ଓ ସ୍ପେଶାଲ ସ୍କ୍ବାଡ୍‌ ଅଫିସ୍‌ଠାରୁ ମାତ୍ର ୫୦ମିଟର ଦୂର କଲ୍ୟାଣ ଜୁଏର୍ଲସ ନିକଟରୁ। ଅଳ୍ପ କିଛି ଦୂରରେ ସହିଦନଗର ଥାନା ବି ଅଛି। କିନ୍ତୁ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଏକ କାର୍‌ କାଚ ଭାଙ୍ଗି ଦୁର୍ବୃତ୍ତମାନେ ୨ଟି ଲ୍ୟାପଟପ୍‌ ଓ ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି।

ସୂଚନା ମୁତାବକ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଅକ୍ଷୟ ନରୁଲା ନାମକ ଜଣେ ବ୍ୟକ୍ତି ସେଣ୍ଟ୍ରାଲ୍‌ ମଲ୍‌କୁ ସପିଂ ପାଇଁ ଆସିଥିଲେ। ସେ ତାଙ୍କ କାର୍‌ କଲ୍ୟାଣ ଜୁଏର୍ଲସ ନିକଟ ପାର୍କିଂରେ ରଖି ମଲ୍‌କୁ ଯାଇଥିଲେ। ପାଖାପାଖି ୭ଟା ବେଳେ ସପିଂ ସାରି ଫେରିବା ବେଳକୁ କାର୍‌ର ସାଇଡ୍‌ କାଚ ଭଙ୍ଗା ଥିବା ଦେଖି ଚକିତ ହୋଇପଡ଼ିଥିଲେ। କାର୍‌ ଡୋର୍‌ ଖୋଲି ଦେଖିବା ବେ‌ଳକୁ କାର୍‌ରେ ଥିବା ୩୫ ହଜାର ଟଙ୍କା ଓ ୨ଟି ଲ୍ୟାପଟପ୍‌କୁ ଦୁର୍ବୃତ୍ତମାନେ ନେଇ ଫେରାର୍‌ ହୋଇଯାଇଥିଲେ। ସେ ତୁରନ୍ତ ସହିଦନଗର ଥାନା ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଥିଲା। କିନ୍ତୁ ଶେଷ ଖବର ଲେଖା ହେବା ବେଳକୁ ଲୁଟେରାମାନଙ୍କ ପତ୍ତା ପାଇପାରିନାହିଁ। ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଲୁଟେରାଙ୍କୁ ଚିହ୍ନଟ ପାଇଁ ପୁଲିସ ଆଖାପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

By amfnews

Related Post