Sat. Jul 4th, 2026

ଉତ୍ତର ଭାରତରେ ବର୍ଷା ନେଲାଣି ୫୮ ଜୀବନ, ବିପଦ ସଙ୍କେତ ଉପରେ ଯମୁନା

219 Views

ନୂଆଦିଲ୍ଲୀ  : ଅବିଶ୍ରାନ୍ତ ଓ ବର୍ଷା ଯୋଗୁ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟାରେ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ପଞ୍ଜାବ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଘନଘନ ଭୂସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ଶହଶହ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଫସି ରହିଛନ୍ତି।

ପ୍ରଶାସନ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ହେଁ ସେମାନଙ୍କ ଦୁର୍ଦ୍ଦଶା ଦୂର ହୋଇନାହିଁ। ଭୂସ୍ଖଳନ ଓ ବନ୍ୟା ଯୋଗୁ ଉତ୍ତରାଖଣ୍ଡରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ୮ରୁ ୧୦ ଜଣ ନିଖୋଜ ରହିଛନ୍ତି। ସେହିପରି ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ୨୬ ଜଣଙ୍କ ଜୀବନ ନେଇଛନ୍ତି। ଶହଶହ ଲୋକ ବାସହରା ହୋଇଯାଇଛନ୍ତି।

ଦିଲ୍ଲୀର ସ୍ଥିତି ମଧ୍ୟ ସଂଗିନ ହୋଇଛି। ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ତଥାପି ଏବେ ବି ଶହଶହ ଲୋକ ବିଭିନ୍ନ ଗାଁରେ ରହିଛନ୍ତି। ଯମୁନା ନଦୀର ବିପଦ ସଙ୍କେତ ୨୦୫.୩ ମିଟର ହୋଇଥିବା ବେଳେ ଏକ ଜଳସ୍ତର ୨୦୫.୯୪ ମିଟରରେ ପ୍ରବାହିତ ହେଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ଡଙ୍ଗା, ହେଲିକପ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ କରି ରଖାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶରେ ଆସନ୍ତାକାଲି ଯାଏ ବର୍ଷା ଲାଗି ରହିବ। ବର୍ଷା ଓ ବନ୍ୟା ଯୋଗୁ ପଞ୍ଜାବର ପଠାନକୋଟ, ରୋପାର ଓ ଲୁଧିଆନା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏହାକୁ ଜାତୀୟ ପ୍ରାକୃତି ଦୁର୍ବିପାକ ବୋଲି କହିବା ସହ ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକ ପାଇଁ ୧୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି।

By amfnews

Related Post