Sun. Oct 4th, 2026

ଉତ୍ତରାଖଣ୍ଡ: ନନ୍ଦା ଦେବୀ ଇଷ୍ଟ୍‍ ଶୃଙ୍ଗରୁ ସାତ ଜଣ ନିଖୋଜ ପର୍ବତାରୋହୀଙ୍କ ଶବ ଉଦ୍ଧାର

256 Views

ନୂଆଦିଲ୍ଲୀ : ପ୍ରାୟ ଦୁଇ ମାସରୁ ଅଧିକ ସମୟ ପରେ ଉତ୍ତରାଖଣ୍ଡର ପିଥୋରାଗଡ଼ସ୍ଥିତ ନନ୍ଦା ଦେବୀ ଇଷ୍ଟ୍‍ ଶୃଙ୍ଗରୁ ଇଣ୍ଡୋ-ତିବେତାନ ବର୍ଡର୍‌ ପୁଲିସ ମିସନ୍‌ ଡେଆର୍‌ ଡେଭିଲ୍‌ ଅଭିଯାନରେ ୭ ଜଣ ନିରୁଦ୍ଦେଶ ପର୍ବତାରୋହୀଙ୍କ ଶବ ଉଦ୍ଧାର କରିଛି। ବୁଧବାର ଦିନ ଭାରତୀୟ ବାୟୁସେନା ପର୍ବତାରୋହୀ ଶବଗୁଡ଼ିକୁ ପିଥୋରାଗଡ଼ର ନୈନି ସାଇନି ବିମାନ ବନ୍ଦରକୁ ଆଣିଥିଲେ। ଅଷ୍ଟମ ଶବଟି ଖୋଜା ଚାଲିଛି। ବ୍ୟବଚ୍ଛେଦ ନିମନ୍ତେ ଉକ୍ତ ଶବଗୁଡ଼ିକୁ ହଲ୍‌ଦଓ୍ଵାନିସ୍ଥିତ ସୁଶୀଳ ତିଓ୍ଵାରି ସରକାରୀ ଡାକ୍ତରଖାନାକୁ ନିଆଯାଇଛି।

ଜୁନ୍‌ ୧୩ ତାରିଖ ଦିନ ଆରମ୍ଭ ହୋଇ ଏହି ଉଦ୍ଧାର କାର୍ଯ୍ୟ ୨୧ ଦିନରେ ଶେଷ ହୋଇଛି। ଉଦ୍ଧାର ଶବଗୁଡ଼ିକ ମଧ୍ୟରୁ ଜଣେ ଅଷ୍ଟ୍ରେଲୀୟ ପର୍ବତାରୋହିଣୀ ଏବଂ ଜଣେ ଭାରତୀୟ ଗାଇଡ୍‌ ଶବ ଚିହ୍ନଟ କରାଯାଇଛି। ମେ ୧୩ ତାରିଖ ଦିନ ହିମାଲୟାନ୍‌ ରନ୍‌ ଆଣ୍ଡ୍‌ ଟ୍ରେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ନୂଆଦିଲ୍ଲୀର ୧୨ ଜଣିଆ ସଦସ୍ୟ ବିଶିଷ୍ଟ ଦୁଇ ଦଳ ପିଥୋରାଗଡ଼ରେ ଥିବା ୭୪୩୪ ମିଟର୍‌ ଉଚ୍ଚ ନନ୍ଦା ଦେବୀ ଇଷ୍ଟ୍‍ ଶୃଙ୍ଗାରୋହଣ ପାଇଁ ମୁନ୍‌ସିୟାରି ଛାଡ଼ିଥିଲେ। ମେ ୨୫ ତାରିଖ ଦିନ ସେମାନେ ନିଖୋଜ ହୋଇ ଯାଇଥିଲେ।

By amfnews

Related Post