Thu. Sep 24th, 2026

ଇସ୍ତଫା ଦେଇଥିବା ୧୦ କର୍ଣ୍ଣାଟକା ବିଧାୟକ ସଂଧ୍ୟା ୬ଟା ସୁଦ୍ଧା ବାଚସ୍ପତିଙ୍କୁ ଭେଟିବାକୁ ନିର୍ଦ୍ଦେଶ

211 Views

ନୂଆଦିଲ୍ଲୀ  : କର୍ଣ୍ଣାଟକାରେ ଇସ୍ତଫା ଦେଇଥିବା ବିଧାୟକ ଆଜି ସଂଧ୍ୟା ୬ଟା ସୁଦ୍ଧା ବାଚସ୍ପତି ରମେଶ କୁମାରଙ୍କୁ ଭେଟିବେ। ଆଜି ସୁପ୍ରିମକୋର୍ଟ ଇସ୍ତଫା ଦେଇଥିବା ବିଧାୟକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ସୁରକ୍ଷା ପୁଲିସ ଯୋଗାଇ ଦେବାକୁ ଦେଶର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକଙ୍କ ଇସ୍ତଫା ସଂକ୍ରାନ୍ତ ବାଚସ୍ପତିଙ୍କ ନିଷ୍ପତ୍ତି ଆସିବା ପରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି କରିପାରନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜେଡିଏସ ଏବଂ କଂଗ୍ରେସର ବିଧାୟକ ଇସ୍ତଫା ଦେଇ ମୁମ୍ବାଇ ପଳାଇ ଆସିଥିଲେ। ହେଲେ ବାଚସ୍ପତି ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁନଥିଲେ। ବାଚସ୍ପତି ଶାସକ ମେଣ୍ଟ ଦଳଙ୍କୁ ସହଯୋଗ କରୁଥିବା ଇସ୍ତଫା ଦେଇଥିବା ୧୦ ବିଧାୟକ ଅଭିଯୋଗ କରିଥିଲେ। ଏହାପରେ ସମ୍ପୃକ୍ତ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଅନ୍ୟପକ୍ଷେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆହୁରି ୩ କଂଗ୍ରେସ ବିଧାୟକ ଆଜି ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

By amfnews

Related Post