Thu. Jun 11th, 2026

ଇନ୍ଦ୍ରାବତୀ ଜଳ ଭଣ୍ଡାରର ୭ଟି ଗେଟ୍‌ ଖୋଲାଯିବ, ୧୬ଟି ଗାଁ’ରେ ସତର୍କ ସୂଚନା ଜାରି କଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ

439 Views

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଆଜି ୪୩୩ ମିମି ବର୍ଷା ହୋଇଛି। ତେବେ କଳାହାଣ୍ଡି ଜିଲ୍ଲାରେ ଅଧିକ ପରିମାଣରେ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ତେଣୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ଆଜି ରାତି ୯ଟା ସୁଦ୍ଧା ୬୩୯.୭୦ ମିଟର ରହିଛି। ଏହି ଜଳ ଭଣ୍ଡାରର କ୍ଷମତା ୬୪୨.୫୦ ମିଟର। ତେବେ ଆଜି ରାତିରେ ବର୍ଷା ହେଲେ ଜଳଭଣ୍ଡାରର କ୍ଷମତାଠାରୁ ଅଧିକ ପରିମାଣର ପାଣି ରହିବାର ଆଶଙ୍କା ଥିବାରୁ ଆସନ୍ତାକାଲି ୧୦ଟାରେ ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ାଠାରେ ଥିବା ୫ଟି ଗେଟ୍‌ ଓ ମୋରନଠାରେ ଥିବା ଡ୍ୟାମରୁ ୨ଟି ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଛି।

ତେଣୁ ଖାତିଗୁଡାଠାରେ ୫ଟି ଗେଟ୍‌ ଖୋଲାଗଲେ ବନ୍ୟା ପାଣି ଇନ୍ଦ୍ରାବତୀ ନଦୀରେ ପ୍ରବାହିତ ହେବ। ଏହାଦ୍ୱାରା ଇନ୍ଦ୍ରାବତୀ ନଦୀରେ ବନ୍ୟା ପାଣି ଆସି ନବରଙ୍ଗପୁର, ନନ୍ଦାହାଣ୍ଡି ଓ କୋଷାଗୁମୁଡା ବ୍ଲକର ୧୬ଟି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ସମସ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏଥିସହିତ ଇନ୍ଦ୍ରାବନୀ ନଦୀ କୂଳରେ ଥିବା ସମସ୍ତ ଗ୍ରାମକୁ ସତର୍କ ସୂଚନା ଦିଆଯାଇଥିବାର ପ୍ରଶାସନ ସୂଚନା ମିଳିଛି। ପ୍ରକାଶ ଥାଉକି ଗତ ୪ ବର୍ଷ ପୂର୍ବେ ଖାତିଗୁଡାଠାରେ ୨ଟି ଗେଟ୍‌ ଖୋଲାଯାଇଥିଲା।

By amfnews

Related Post