Fri. Jul 3rd, 2026

ଇଟାଲୀରେ ଗୋଟିଏ ଦିନରେ ଗଲା ୪୭୫ ଜୀବନ, ମୃତ୍ୟୁସଂଖ୍ୟା ୨,୯୭୮ ଛୁଇଁଲା

249 Views

ରୋମ : ଚାଇନା ପରେ ଇଟାଲୀରେ କରୋନା ଭାଇରସ ପ୍ରତିଦିନ ଶହଶହ ଜୀବନ ନେବାରେ ଲାଗିଛି। ଗୋଟିଏ ଦିନରେ ମହାମାରୀ କରୋନା ଭାଇରସ ଯୋଗୁ ଇଟାଲୀରେ ୪୭୫ ଜୀବନ ଯାଇଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୯୭୮ରେ ପହଞ୍ଚି ଯାଇଛି। ଯଦି ଏଭଳି ପ୍ରକ୍ରିୟା ଜାରି ରହିବ, ତା’ହେଲେ ଖୁବଶୀଘ୍ର ଚାଇନାର କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଇଟାଲୀ ଅତିକ୍ରମ କରିଯିବାର ଆଶଙ୍କା ପ୍ରକାଶ ପାଇଛି।

ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯% ବୃଦ୍ଧି ପାଇଛି। ଫଳରେ ଏଠାରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୯୭୮ରେ ପହଞ୍ଚି ଯାଇଛି।

ସେହିପରି ବୁଧବାର ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧, ୫୦୬ ଥିବା ବେଳେ ଗୁରୁବାର ଏହି ସଂଖ୍ୟା ୩୫, ୭୧୩ରେ ପହଞ୍ଚି ଯାଇଛି। ଅର୍ଥାତ ଆକ୍ରାନ୍ତଙ୍କ ସହଂଖ୍ୟା ୧୩% ବୃଦ୍ଧି ପାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୪,୦୨୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୨୮,୭୧୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୨୨୫୭ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ଡିସେମ୍ବର ମାସରେ ଚାଇନାର ଉହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏଯାଏ ସାରା ବିଶ୍ୱରେ ୮,୯୬୯ ଜୀବନ ନେଇଥିବା ବେଳେ ୨,୧୯, ୩୩୨ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ତେବେ ୮୫,୭୪୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାରେ ପ୍ରାଣ ହରାଇଥିବା ୮,୯୬୯ ଜଣଙ୍କ ମଧ୍ୟରୁ ଚାଇନାରେ ୩,୨୪୫ ଜଣଙ୍କ ଜୀବନ ଯାଇଛି।

By amfnews

Related Post