Sat. Jun 13th, 2026

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା

304 Views

ଭୁବନେଶ୍ବର : ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ। କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନ‌ରେ କୁଆପଥର ବର୍ଷା ହେବ। ପବନ ଓ ବିଜୁଳି ସହ କିଛି ସ୍ଥାନରେ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତା ୪ ଦିନ ଏହିଭଳି ପାଗ ଲାଗି ରହିବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ କୁଆପଥର ବର୍ଷା ହେବ। ଏହି ସମୟରେ ପବନର ବେଗ ମଧ୍ୟ ବଢ଼ିବ। ଘଣ୍ଟା ପ୍ରତି ୪୦/୫୦ କିମି ବେଗରେ ପବନ ବହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା, ନୟାଗଡ଼, ଖୋର୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଦେବଗଡ଼ ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ସହ ବର୍ଷା ଲାଗି ରହିବ। ପବନର ବେଗ ୪୦/୫୦ କିମି ରହିବ।

ସେହିପରି ୨୧ ତାରିଖ ସକାଳ ଯାଏ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ମାରିବା ସହ ଝଡ଼ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦/୪୦ କିମି ରହିବ। ୨୧ ତାରିଖ ସକାଳୁ ୨୨ ତାରିଖ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଞ୍ଜାମ ଖୋର୍ଧା ଓ ପୁରୀ ଆଦି ଜିଲ୍ଲାରେ ଝଡ଼ବର୍ଷା ହେବ ଓ ପବନର ବେଗ ଘଣ୍ଟାକୁ ୪୦/୫୦ କିମି ରହିବ। ଏହାପରେ ପବନର ବେଗ କମିବ କିନ୍ତୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି।

ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକା ବର୍ଷା ତ’ ଅନ୍ୟ କେତେକ ସ୍ଥାନରେ ଝଡ଼ବର୍ଷା ହେବ। ଫଳରେ ପରିବେଶ ଅପେକ୍ଷାକୃତ ଥଣ୍ଡା ରହିବ ଓ ଏହି ସମୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ। ଗତ ୩୬ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୧୭.୬ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ୧୩.୪ ମିମି, ସୁନ୍ଦରଗଡ଼ରେ ୭ ମିମି, ଝାରସୁଗୁଡ଼ାରେ ୩ ମିମି ଓ ଗୋପାଳପୁରରେ ହାଲୁକା ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଅଧିକାଂଶ ସ୍ଥାନରେ ଆଜି ପାଗ ମେଘୁଆ ଥିବା ଜଣାପଡ଼ିଛି।

By amfnews

Related Post