Sun. Sep 6th, 2026

ଆମେରିକାରେ ଦୁଇ ଲକ୍ଷ ଛୁଇଁପାରେ କରୋନା ମୃତ୍ୟୁ

241 Views

ଓ୍ୱାଶିଂଟନ: ମହାମାରୀ କରୋନା ଭାଇରସ ପାଇଁ ଆମେରିକା ଏବେ ଚିନ୍ତାରେ। ମାତ୍ର ଦୁଇ ଦିନରେ ମୃତକଙ୍କ ସଂଖ୍ୟା ଡବଲ୍ ହୋଇଛି। ଏହି ମହାମାରୀରେ ଆମେରିକାର ନ୍ୟୁୟର୍କ ସହର ସବୁଠୁ ପ୍ରଭାବିତ ହୋଇଛି। ସ୍ଥିତି ଏମିତି ଯେ ୯/୧୧ ଆକ୍ରମଣ ବେଳେ ଆମ୍ୱୁଲାନ୍ସ ଯେଉଁଭଳି ଭାବରେ ରାସ୍ତାରେ ଦୌଡୁଥିଲା ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏମିତିକି ମୃତ୍ୟୁ ସଂଖ୍ୟା ୨ ଲକ୍ଷ ହୋଇପାରେ ବୋଲି ସେ କହିଛନ୍ତି।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ପରାମର୍ଶଦାତା କହିଛନ୍ତି, କରୋନା ଭାଇରସରେ ଅତିକମରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବ। ଏବେ ଏପ୍ରିଲ ୩୦ ଯାଏ ରାଷ୍ଟ୍ରପତି ସାମାଜିକ ଦୂରତ୍ୱ ନିୟମ ଅବଧି ବଢ଼ାଇଛନ୍ତି।

ଅନ୍ୟପଟେ ହ୍ୱାଇଟ୍ ହାଉସରେ ସାମ୍ୱାଦିକ ସମ୍ମିଳନୀ କରି ଟ୍ରମ୍ପ କହିଛନ୍ତି, ଆଗାମୀ ଜୁନ୍ ଯାଏ ଆମେରିକାକୁ କରୋନା ସହିତ ଲଢ଼ିବାକୁ ପଡ଼ିପାରେ। ତେବେ କରୋନାକୁ ରୋକିବା ପାଇଁ ଯେଉଁ ପ୍ରସ୍ତୁତି ଚାଲିଛି ତାହା ମୃତ୍ୟୁ ସଂଖ୍ୟା କମାଇବ। ଏପ୍ରିଲ ୧ ସୁଦ୍ଧା ସରକାର ସାମାଜିକ ଦୂରତ୍ୱ ନିୟମ ବାବଦରେ ନିୟମ ଜାରି କରିବେ।

ରବିବାର ରାତି ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨,୭୩୫ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୨,୪୮୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁୟର୍କ ସହରର ରହିଛନ୍ତି।

By amfnews

Related Post