Wed. Sep 30th, 2026

ଆପୋଲୋ ହସପିଟାଲ ପଞ୍ଜୀକରଣ ରଦ୍ଦ ନିର୍ଦ୍ଦେଶ ଦେଲେ ଏନଏଚଆର୍‌ସି

357 Views

ଭୁବନେଶ୍ୱର  :  ଘରୋଇ ହସପିଟାଲ ଆପୋଲୋ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆର୍‌ସି)। ବେଆଇନ କିଡନି ପ୍ରତିରୋପଣ ମାମଲାରେ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏନ୍ଏଚ୍ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ୬ ମାସ ମଧ୍ୟରେ ପୀଡ଼ିତଙ୍କୁ ଏହି ଟଙ୍କା ପ୍ରଦାନ କରିବାକୁ କମିଶନ୍‌ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆରସି। ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କମିଶନର କହିଛନ୍ତି।

ସୂଚନା ଅନୁଯାୟୀ, ୨୦୧୩ରେ ବରଗଡ଼ର ଅନୀଲ ସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କୁ ଫସାଇ ଦିଆଯାଇଥିଲା। ଆପୋଲୋ ହସପିଟାଲରେ ତାଙ୍କ କିଡନୀ କାଢ଼ି ନିଆଯାଇଥିଲା। ଏହା ପରେ ୨୦୧୬ରେ ଅନୀଲ ବରଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ବରଗଡ଼ର ଜଣେ ବ୍ୟକ୍ତି ଅନୀଲଙ୍କୁ ଭୁଆଁ ବୁଲାଇ ଭୁବନେଶ୍ୱର ଆଣି ଆପୋଲ ହସ୍ପିଟାଲରେ କିଡ୍‌ନି ପ୍ରତିରୋପଣ କରିଥିଲେ।

ସମ୍ପୃକ୍ତ ବ୍ୟକ୍ତି ଅନୀଲଙ୍କୁ ନିଜର ସାନଭାଇ ଦର୍ଶାଇ ତଞ୍ଚକତାପୂର୍ଣ୍ଣ ଭାବେ ଏହି କାମ କରିଥିଲେ। ମାମଲା ଅଧିକ ଜଟିଳ ହେବାରୁ ଏହା ଏହା ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଯାଇ ପହଞ୍ଚିଥିଲା। ସେତେବେଳେ ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏବେ ମାମଲାର ବିଚାର କରି କମିଶନ ଆପୋଲୋ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post