Fri. May 22nd, 2026

ଆତ୍ମହତ୍ୟା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଭିବି ଚନ୍ଦ୍ରଶେଖର

227 Views

ଚେନ୍ନାଇ : ପୂର୍ବତନ ଭାରତୀୟ କ୍ରିକେଟ୍‌ ଖେଳାଳି ଓ ତାମିଲନାଡୁ ଓପେନର୍‌ ୫୭ ବର୍ଷିୟ ଭିବି ଚନ୍ଦ୍ରଶେଖର ଚେନ୍ନାଇ ଅନ୍ତର୍ଗତ ମଇଲାପୋର୍‌ସ୍ଥିତ ତାଙ୍କ ବାସଭବନରେ ମୃତାବସ୍ଥାରେ ମିଳିବା ପରେ ସେ ଆତ୍ମହତ୍ୟା କରିଥିବା କଥା ପୁଲିସ ନିଶ୍ଚିତ କରିଛି। ପୁଲିସ କହିବା ଅନୁସାରେ, ଗୁରୁବାର ବିଳମ୍ବିତ ରାତ୍ରୀରେ ସେ ସିଲିଙ୍ଗ୍‌ ଫ୍ୟାନ୍‌ରେ ଝୁଲିଥିବା କଥା ତାଙ୍କ ପରିବାର ଲୋକେ ଦେଖିଥିଲେ। କବାଟ ଭଙ୍ଗାଯାଇ ତାଙ୍କ ଶବ ଉଦ୍ଧାର କରାଯିବା ପରେ ବ୍ୟବଚ୍ଛେଦ ନିମନ୍ତେ ରୋୟାପେଟ୍ଟାହ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେ କୌଣସି ସ୍ୟୁସାଇଡ୍‌ ନୋଟ୍‌ ଲେଖି ନାହାନ୍ତି ବୋଲି ପୁଲିସ କହିଛି।

ସଞ୍ଜବେଳେ ଘରର ଅନ୍ୟ ସମସ୍ତଙ୍କ ସହ ଚା ପିଇ ସାରିବା ପରେ ଉପର ମହଲାରେ ଥିବା ତାଙ୍କ କୋଠରିକୁ ଯାଇଥିଲେ ଚନ୍ଦ୍ରଶେଖର। ବହୁ ସମୟ ଧରି ସେ ନ ଫେରିବାରୁ ଘର ଲୋକେ କବାଟ ଖଟ ଖଟ କରିଥିଲେ, କିନ୍ତୁ କବାଟ ଭିତରପଟୁ ବନ୍ଦ ଥିଲା। ଝରକା ଖୋଲି ସେମାନେ ଦେଖିଲେ ଯେ ସେ ସିଲିଙ୍ଗ୍‌ ଫ୍ୟାନ୍‌ରେ ଓହଳିଛନ୍ତି।

ପୂର୍ବରୁ କୁହାଯାଇଥିଲା କି, ସେ ହୃଦ୍‌ଘାତ ଯୋଗୁଁ ମରିଛନ୍ତି।

ଆଇପିଏଲ୍‌ ଧାରାରେ ଗଠିତ ତାମିଲନାଡୁ ପ୍ରିମିୟର୍‌ ଲିଗ୍‌ ‘ଭିବି କାଞ୍ଚି ବୀରନସ୍‌’ ଦ୍ୱାରା ବ୍ୟାପକ ଆର୍ଥିକ କ୍ଷତି ହେବାରୁ ସେ ମନସ୍ତାପ କରୁଥିଲେ। ଏଥିରେ ସେ ୩ କୋଟି ଟଙ୍କା ବିନିଯୋଗ କରିଥିଲେ। ସେ ତାଙ୍କ ଘର ମଧ୍ୟ ବନ୍ଧା ପକାଇଥିଲେ। ନିକଟରେ ଋଣ ପଇଠ ପାଇଁ ବ୍ୟାଙ୍କ୍‌ ନୋଟିସ୍‌ ପଠାଇ ଥିବାରୁ ସେ ବିଷାଦଗ୍ରସ୍ତ ହୋଇ ପଡ଼ିଥିଲେ। ସେ ସହରରେ ଗୋଟାଏ କ୍ରିକେଟ୍‌ କୋଚିଙ୍ଗ୍‌ କେନ୍ଦ୍ର ବି ଚଳାଉଥିଲେ। ତାଙ୍କ ମୃତ୍ୟୁ ଯୋଗୁଁ ବିସିସିଆଇ, ବହୁ ପୂର୍ବତନ ଏବଂ ବର୍ତ୍ତମାନର କ୍ରିକେଟ ଖେଳାଳି ଶୋକ ପ୍ରକାଶ କରିଛନ୍ତି।

By amfnews

Related Post