Mon. Sep 14th, 2026

ଆଜି ରାହୁଲଙ୍କ ସହ ପିସିସି ସଭାପତି, ପ୍ରଭାରୀଙ୍କ ବୈଠକ : ଦିଲ୍ଲୀରେ ନିରଞ୍ଜନ ଓ ନରସିଂହ

454 Views

ନୂଆଦିଲ୍ଲୀ : ଆସନ୍ତାକାଲି ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପାଇଁ ନିଯୁକ୍ତ ପ୍ରଭାରୀ ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖଙ୍କ ସହିତ ଆଲୋଚନା କରିବେ। କେବଳ ଓଡ଼ିଶା ନୁହେଁ, ସବୁ ରାଜ୍ୟର ପିସିସି ସଭାପତି, ପ୍ରଭାରୀମାନଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ଶ୍ରୀ ମିଶ୍ର ଦିଲ୍ଲୀରେ ରହିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ସେ ନେଇ ଆସନ୍ତାକାଲି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ଚୁକ୍ତିରେ ଅନିୟମିତତା ପ୍ରସଙ୍ଗ ନେଇ ମୋଦୀ ସରକାରଙ୍କ ବିରୁଦ୍ଧରେ ଆଗାମୀ ନିର୍ବାଚନରେ କିଭଳି ମୁଖ୍ୟ ପ୍ରସଙ୍ଗ କରିହେବ ସେ ସଂପର୍କରେ ରାହୁଲ ଗୁରୁମନ୍ତ୍ର ଦେଇପାରନ୍ତି। ଏହି ପ୍ରସଙ୍ଗ ନେଇ କଂଗ୍ରେସ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଘେରିବାକୁ ଯୋଜନା କରୁଛି। ଆସନ୍ତାକାଲିର ବୈଠକରେ ଏହାର ରଣନୀତି ପ୍ରସ୍ତୁତ ହୋଇପାରେ।

ରାଜ୍ୟରେ ଦଳୀୟ ସଂଗଠନ, ନିର୍ବାଚନ ପ୍ରସ୍ତୁତି, ଟିକେଟ୍‌ ବଣ୍ଟନ ଭଳି ବିଭିନ୍ନ ପ୍ରସଙ୍ଗ ବୈଠକରେ ସ୍ଥାନ ପାଇପାରେ। ଆଜି ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ସ୍ୱର୍ଗତ ବାଜପେୟୀଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେବା ପାଇଁ ରାହୁଲ ଯିବା ଫଳରେ ଶେଷ ମୁହୂର୍ତରେ ଏହି ବୈଠକକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି।

By amfnews

Related Post