Sat. Apr 25th, 2026

ଆଜି ବାରୁଣୀ ବୁଡ : ଯାଜପୁର ଦଶାଶ୍ୱମେଧ ଘାଟରେ ୧୪୪ ଧାରା, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

214 Views

ଯାଜପୁର:  ଆଜି ଯାଜପୁର ଜିଲ୍ଲାର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ୧୪୪ ଧାରା ଜାରି କରାଯାଇଛି। ବାରୁଣୀ ବୁଡ ଯାତ୍ରାକୁ ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କୁ ନ ଆସିବାକୁ ବାରଣ କରାଯାଇଛି ।  ଚଳିତ ବର୍ଷ  ମହାବାରୁଣୀ ସ୍ନାନ ଯୋଗ ଥିବାରୁ ପିଣ୍ଡଦାନ ଏବଂ ବୁଡ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଥିଲା । ହେଲେ ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନାକୁ ରୋକିବା ଲାଗି  ଜିଲ୍ଲା ପ୍ରଶାସନ ବଡ ନିଷ୍ପତ୍ତି ନେଇ ସ୍ଥାନୀୟ ଅଂଚଳରେ ୧୪୪ ଧାରାକୁ ବଳବତ୍ତର ରଖିଛି ।

ଆଜି ବାରୁଣୀ ସ୍ନାନ ଯୋଗ ଥିବାରୁ ସକାଳୁ  ସମଗ୍ର ଅଂଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ସକାଳୁ ଜିଲ୍ଲାପାଳଙ୍କ ସମେତ ସମସ୍ତ  ପ୍ରଶାସନିକ ଅଧିକାରୀମାନେ  ବାରୁଣୀ ଘାଟ ଅଂଚଳରେ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ତା ଛଡା ଜିଲ୍ଲାପାଳ ଯାଜପୁରବାସୀ ଆଜିର ବୁଡକୁ ନ ଆସି ପ୍ରଶାସନକୁ ସହଯୋଗ କରିବା ସହ  ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କୁ ନଆସିବାକୁ ଅନୁରୋଧ କରିଛନ୍ତି। ଏହାକୁ ସ୍ଥାନୀୟ ପଣ୍ଡା ପୁରୋହିତମାନେ ସମର୍ଥନ କରିବା ସହ ରୋଗ ଯାଜପୁରବାସୀଙ୍କ ମଧ୍ୟରେ ନ ବ୍ୟାପୁ ବୋଲି ମା ବିରଜାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସକାଳୁ ଜିଲ୍ଲାପାଳ ରଂଜନ କୁମାର ଦାସ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ବିଡିଓ ସୌରଭ ଚକ୍ରବର୍ତୀ, ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ବାରୁଣୀ ଘାଟ ଅଂଚଳ ବୁଲି ଦେଖିଥିଲେ।

By amfnews

Related Post