Sun. Oct 4th, 2026

ଆଜିଠାରୁ ଅନଲକ 4 ଆରମ୍ଭ, ବିଭିନ୍ନ ରାଜ୍ୟରେ ଲାଗୁ ହେଲା ନୂଆ କଟକଣା ନିୟମ

332 Views

ନୂଆଦିଲ୍ଲୀ, ସେପ୍ଟେମ୍ୱର ୧  : କରୋନାର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଅନଲକ 4 ମଙ୍ଗଳବାର (ସେପ୍ଟେମ୍ବର 1)ରୁ କାର୍ଯ୍ୟକାରୀ ହୋଇଛି  । ଅନଲକ୍ 4 ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଏହି ପର୍ଯ୍ୟାୟ ମାଧ୍ୟମରେ ଦେଶରେ ସ୍ବାଭାବିକ ରହଣି ବା ପ୍ରି-କରୋନାଭାଇରସ୍ ସ୍ତରକୁ ଆଣିବାକୁ ଚେଷ୍ଟା କରାଯାଉଛି  ।

ଅନଲକ୍ 4 ପାଇଁ ଘୋଷିତ ନିର୍ଦ୍ଦେଶାବଳୀରେ, ମେଟ୍ରୋ ସେବା ପୁନଃଆରମ୍ଭ ଏବଂ ଆନ୍ତଜିଲ୍ଲା ଗମନାଗମନ ପାଇଁ ଇ-ପାସ ଆବଶ୍ୟକତାକୁ ବାତିଲ କରିବାକୁ କେନ୍ଦ୍ର ଅନୁମତି ଦେଇଛନ୍ତି ।

ବିଦ୍ୟାଳୟ ଏବଂ କଲେଜଗୁଡ଼ିକ ବନ୍ଦ ରହିବ  । କେନ୍ଦ୍ରସରକାରଙ୍କ ପରାମର୍ଶ ବିନା ଲକଡାଉନ ନକରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଥିବାବେଳେ କିଛି ରାଜ୍ୟର ସରକାର ବିଦ୍ୟମାନ ପ୍ରତିବନ୍ଧକକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଉଦାହରଣ ସ୍ୱରୂପ, ଦିଲ୍ଲୀ ସରକାର ସୋମବାର ଦିନ ନିଷିଦ୍ଧ କାର୍ଯ୍ୟକଳାପ ଉପରେ ସ୍ଥିତି ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସରକାର ବର୍ତ୍ତମାନର କୋଭିଡ -19 ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ସହରରେ ବର୍ତ୍ତମାନ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଜାରି ରଖାଯିବ  ।

ସହରରେ ଜିମ୍ ଖୋଲିବାକୁ ଅନୁମତି ଦିଆଯାଇ ନ ଥିବାବେଳେ ସାପ୍ତାହିକ ବଜାରଗୁଡିକ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ପରୀକ୍ଷା ଭିତ୍ତିରେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି  ।

ସର୍ବାଧିକ ସଂଖ୍ୟାରେ କୋଭିଡ -19 ମାମଲା ହୋଇଥିବା ମହାରାଷ୍ଟ୍ରରେ ବ୍ୟକ୍ତି ତଥା ସାମଗ୍ରୀର ଆନ୍ତଜିଲ୍ଲା ଗତିବିଧି ଉପରେ ପ୍ରତିବନ୍ଧକ ହଟାଇ ଦେଇଛି ଏବଂ ସେପ୍ଟେମ୍ବର 2ରୁ ଏଭଳି ଯାତ୍ରା କରିବା ପାଇଁ ଇ-ପାସ୍ ଆବଶ୍ୟକ ହେବ ନାହିଁ ବୋଲି କୁହାଯାଇଛି । ଏଥିସହିତ ସରକାର କହିଛନ୍ତି ଯେ କୋଭିଡ -19ର ପ୍ରସାରକୁ ରୋକିବା ପାଇଁ ସେଠାରେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ସାଧାରଣ କଟକଣା ଜାରି ରହିବ।

ମହାରାଷ୍ଟ୍ରର ରାଜ୍ୟ ସରକାର ମଧ୍ୟ ତାଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥାନ ବୃଦ୍ଧି କରିଛନ୍ତି ଏବଂ ସେପ୍ଟେମ୍ବର 2ରୁ ହୋଟେଲ ଏବଂ ଲଜ୍ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ଅନୁମତି ଦେଇଛନ୍ତି  । କିନ୍ତୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ସ୍କୁଲ, କଲେଜ, ସିନେମା ହଲ୍ ଏବଂ ସୁଇମିଂ ପୁଲ୍ ବନ୍ଦ ରହିବ।

ତାମିଲନାଡୁରେ ଆଜିଠାରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲା ରହିବ  । ସେପ୍ଟେମ୍ବର ମାସରେ ସପ୍ତାହନ୍ତ ଲକଡାଉନ୍ ଲାଗୁ ହେବ ନାହିଁ। ଆନ୍ତଜିଲ୍ଲା ଭ୍ରମଣ ପାଇଁ ଇ-ପାସ୍ ବ୍ୟବସ୍ଥା ବନ୍ଦ ହୋଇଯିବ  । ସମସ୍ତ ପୂଜାପାଠ, ହୋଟେଲ ଏବଂ ରିସୋର୍ଟଗୁଡିକ ପୁନଃ ଖୋଲିବାକୁ ଅନୁମତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଏଡାପାଦୀ କେ ପାଲାନିସ୍ୱାମୀ କହିଛନ୍ତି।

ଓଡିଶାରେ ସୋମବାର ରାଜ୍ୟ ସରକାର ସେପ୍ଟେମ୍ବର ପାଇଁ ଲକଡାଉନ୍ ପ୍ରତିବନ୍ଧକ ହଟାଇ ଅନଲକ୍ 4 ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି। ସେପ୍ଟେମ୍ବର 21 ପରେ ରାଜ୍ୟର ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଅନୁମତି ଦିଆଯିବ। କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା, ଉପ-ବିଭାଗ, ସହର କିମ୍ବା ନିମ୍ନସ୍ତରଗୁଡିକରେ କୌଣସି କଟକଣା ରହିବନାହିଁ  । ଯଦି ରାଜ୍ୟରେ ରୋଗର ନିୟନ୍ତ୍ରଣ ଏବଂ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଆବଶ୍ୟକସ୍ଥଳେ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ପ୍ରତିବନ୍ଧକ ଲଗାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି  ।

ଓଡିଶାରେ ଜନସାଧାରଣଙ୍କ ପାଇଁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଧାର୍ମିକ ସ୍ଥାନ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପ୍ଲେକ୍ସ, ଅଡିଟୋରିଆ ଏବଂ ସମ୍ମିଳନୀ କକ୍ଷ ବନ୍ଦ ରହିବ  ।

ସେପଟେ ପଶ୍ଚିମବଙ୍ଗରେ କରୋନାର ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। କରୋନା ବିସ୍ତାରରେ ରୋକ ଲଗାଇବା ପାଇଁ ସେପ୍ଟେମ୍ବର 7, 11 ଏବଂ 12 ରେ ସାରା ରାଜ୍ୟରେ ସମ୍ପୂର୍ଣ୍ଣ ତାଲା ପକାଯିବ ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା କହିଛନ୍ତି।

ସେ ଦେଇଥିବା ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ପଶ୍ଚିମବଙ୍ଗର କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯିବ।

ସେହିପରି ମଧ୍ୟପ୍ରଦେଶ ସରକାର ରାଜ୍ୟବ୍ୟାପୀ ତାଲା ବନ୍ଦକୁ ପ୍ରତ୍ୟାହାର ଘୋଷଣା କରିଛନ୍ତି, କିନ୍ତୁ ସିନେମା ହଲ୍ ଏବଂ ସୁଇମିଂ ପୁଲ୍ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବନ୍ଦ ରହିବ।

ସେପ୍ଟେମ୍ବର ପହିଲାରୁ ଗୋଆରେ ପ୍ରବେଶ କରିବାକୁ ଚାହୁଁଥିବା ସମସ୍ତଙ୍କ ପାଇଁ କୋଭିଡ -19 ପରୀକ୍ଷା ବାଧ୍ୟତାମୂଳକ ହେବ ନାହିଁ ଏବଂ ବାର-ରେଷ୍ଟୁରାଣ୍ଟ ଖୋଲିପାରିବ । ସେଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି।

By amfnews

Related Post