Mon. Oct 19th, 2026

ଅହମଦାବାଦରେ ପହଞ୍ଚିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

210 Views

ନୂଆଦିଲ୍ଲୀ : ଦୁଇଦିନିଆ ଭାରତ ଗସ୍ତରେ ଆସି ସୋମବାର ପୂର୍ବାହ୍ନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଅହମଦାବାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରମର୍ଦ୍ଦନ ଓ ଆଲିଙ୍ଗନ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କୁ ସ୍ୱାଗତ କରିଥିଲେ।

ନିର୍ଦ୍ଧାରିତ ସମୟ ୧୧: ୪୦ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌, କନ୍ୟା ଇଭାଙ୍କା ଟ୍ରମ୍ପ ଏବଂ ଜାମାତା ଜାର୍ଡ କୁସ୍‌ନର୍‌ ଏବଂ ପ୍ରତିନିଧି ଦଳ ସହ ବିମାନ ‘ଏୟାର୍‌ ଫୋର୍ସ ଓ୍ଵାନ୍‌’ ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିଥିଲା। ସେମାନଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ଥିଲେ। ବିମାନରୁ ପ୍ରଥମେ ଅବତରଣ କରିଥିଲେ କନ୍ୟା ଇଭାଙ୍କା ଟ୍ରମ୍ପ ଏବଂ ଜାମାତା ଜାର୍ଡ କୁସ୍‌ନର୍‌।

ଟ୍ରମ୍ପ୍‌ ପହଞ୍ଚିବା ପୂର୍ବରୁ ବିମାନ ବନ୍ଦର ସର୍କଲ୍‌ରେ କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ। ପହଞ୍ଚିବାର କିଛି ସମୟ ପୂର୍ବରୁ ଟ୍ରମ୍ପ୍‌ ହିନ୍ଦୀରେ ଟୁଇଟ୍‌ କରିଥିଲେ: ଆମେ ଭାରତ ଆସିବାକୁ ବ୍ୟାକୁଳ। ଆମେ ରାସ୍ତାରେ ଅଛୁ, ଅଳ୍ପ ସମୟ ଭିତରେ ସମସ୍ତଙ୍କୁ ଭେଟିବୁ! ଏହାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସଂସ୍କୃତରେ ଲେଖିଥିଲେ: ଅତିଥି ଦେବୋ ଭବଃ

ଟ୍ରମ୍ପ୍‌ଙ୍କ ଆଗମନ ପୂର୍ବରୁ ମୋଟେରା ଷ୍ଟାଡିୟମ୍‌ରେ ବିପୁଳ ଜନସମାଗମ ହୋଇ ସାରିଥିଲା। ସେଠାରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନତା ସମବେତ ହେବାର ବ୍ୟବସ୍ଥା କରାଯାଇଛି।

By amfnews

Related Post