Fri. Jul 3rd, 2026

ଅଯୋଧ୍ୟାକୁ ପଥର ନେଇ ଆସୁଛି ଆହୁରି ୭୦ଟି ଟ୍ରକ୍‌: ବିଶ୍ୱ ହିନ୍ଦୁ ପରିଷଦ୍‌

326 Views

ଅଯୋଧ୍ୟା: ପଥର ନେଇ ଆସୁଥିବା ଆହୁରି ୭୦ଟି ଟ୍ରକ୍‌ ଖୁବ୍‌ ଶୀଘ୍ର ପହଞ୍ଚିବେ ବୋଲି ଅଯୋଧ୍ୟାରେ ଥିବା ବିଶ୍ୱ ହିନ୍ଦୁ ପରିଷଦ୍‌ର ନେତାମାନେ ଦାବି କରୁଛନ୍ତି। ସେମାନେ ଟ୍ରକ୍‌ ଟ୍ରକ୍‌ ପଥର ପାଇଁ ବରାଦ ଦେଇଥିଲେ। ସେଗୁଡ଼ିକୁ ଖୋଦେଇ କରି ସ୍ତମ୍ଭ ଏବଂ ମନ୍ଦିରର ଅନ୍ୟାନ୍ୟ ଅଂଶ ଗଢ଼ିବାକୁ ଅଧିକ ଶିଳ୍ପୀଙ୍କୁ ଡାକିଛନ୍ତି। ମନ୍ଦିର ସଂକ୍ରାନ୍ତ ଆଇନଗତ ସମସ୍ୟାର ସମାଧାନ ହେଲାକ୍ଷଣି ଏହି କାରୁକାର୍ଯ୍ୟମଣ୍ଡିତ ପଥରଖଣ୍ଡ ସବୁକୁ ଖଞ୍ଜି ତିନି ମହଲା ବିଶିଷ୍ଟ ରାମ ମନ୍ଦିର ନିର୍ମାଣ କରାଯିବ।

ରାମଜନ୍ମଭୂମି ମନ୍ଦିର କାର୍ଯ୍ୟାଳୟକୁ ଗତ ବର୍ଷକ ମଧ୍ୟରେ ଅଣାଯାଇଥିବା ସମୁଦାୟ ପଥର ପରିମାଣର ଏହା ହେଉଛି ଚାରିଗୁଣ। ଏହି କର୍ମଶାଳା ଉପରେ ବିଶ୍ୱ ହିନ୍ଦୁ ପରିଷଦ୍‌ର ଶୀର୍ଷସ୍ତରୀୟ ସଦସ୍ୟ ଏବଂ ରାମଜନ୍ମଭୂମି ନ୍ୟାସ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଦ୍ରୁତ ବେଗରେ କାର୍ଯ୍ୟ କରାଇବା ନିମନ୍ତେ ଅଧିକ ପଥର ଏବଂ ଶିଳ୍ପୀମାନଙ୍କୁ ଅଣାଯିବ ବୋଲି ବିଶ୍ୱ ହିନ୍ଦୁ ପରିଷଦ୍‌ର ଆନ୍ତର୍ଜାତିକ ଉପାଧ୍ୟକ୍ଷ ଚମ୍ପତ ରାୟ କହିଛନ୍ତି।

ସେ କହିଛନ୍ତି: ଆମେ ପଛଘୁଞ୍ଚା ଦେବୁ ନାହିଁ। ସତ୍ୟର ବିଜୟ ପାଇଁ ଏ ସଂଗ୍ରାମ। ଆମେ କେବଳ ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ଅପେକ୍ଷା କରିଛୁ।

ମଙ୍ଗଳବାର ଦିନ ଅଯୋଧ୍ୟାରେ ଅଧିକ ପୁଲିସ ମୁତୟନ କରାଯାଇଥିଲେ। ନିରାପତ୍ତା ରକ୍ଷୀମାନେ ରାମଜନ୍ମଭୂମି ଚାରିପଟେ କଡ଼ା ପହରା ଦେଉଥିବାରୁ ସେଠାକୁ ସର୍ବସାଧାରଣଙ୍କ ଯାତାୟାତ ବନ୍ଦ ରଖାଯାଇଥିଲା।

By amfnews

Related Post