Fri. Sep 4th, 2026

ଅଯୋଗ୍ୟ କାଳିଆ ହିତାଧିକାରୀ ତାଲିକାରେ ତାଳମେଳ ନାହିଁ : କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

209 Views

ଭୁବନେଶ୍ବର : କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ତାଲିକା ପ୍ରଦାନରେ ବିଧାନସଭାକୁ କୃଷି ମନ୍ତ୍ରୀ ଅରୁଣ ସାହୁ ବିଭ୍ରାନ୍ତ କରିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କ ଅସଲ ସଂଖ୍ୟା ମନ୍ତ୍ରୀଙ୍କ ପାଖରେ ଥାଇ ଗୃହକୁ ଅସତ୍ୟ ତଥ୍ୟ ଦେଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ଆଜି କଂଗ୍ରେସ ଭବନରେ ଏସଂପର୍କରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ। ସେ ଅଭିଯୋଗ କରିଛନ୍ତି ଯେ ଗତ ୧୩ ତାରିଖ ଦିନ ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ କାଳିଆ ଯୋଜନାର ପ୍ରଥମ କିସ୍ତି ପାଇଥିବା ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ୪୫ ହଜାର ୯୬୫ ଜଣ ହିତାଧିକାରୀଙ୍କୁ ଅଯୋଗ୍ୟ ଚିହ୍ନଟ କରାଯାଇଛି। ବିଭିନ୍ନ ଜିଲ୍ଲା କୃଷି ଅଧିକାରୀମାନେ ସରକାରଙ୍କୁ ଦେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାର ତଥ୍ୟକୁ ଦେଖାଇ ମନ୍ତ୍ରୀ ଶ୍ରୀ ସାହୁ ଗୃହରେ କିପରି ଅସତ୍ୟ ତଥ୍ୟ ଦେଇଥିଲେ ତାହା ଶ୍ରୀ ନାୟକ ଦର୍ଶାଇଥିଲେ। କାଳିଆ କେଳେଙ୍କାରୀରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାପାଇଁ ଶ୍ରୀ ସାହୁ ଗୃହକୁ ବିଭ୍ରାନ୍ତ କରିଥିବା ସେ ଅଭିଯୋଗ କରିଥିଲେ।

କଂଗ୍ରେସ ପକ୍ଷରୁ ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସରକାରୀ ତଥ୍ୟ ପ୍ରଦାନ କରାଯାଇଛି। ଏଥିରେ ମୋଟ୍ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧ ଲକ୍ଷ ୭୨ ହଜାର ୯୦୮ ରହିଛି। ଶ୍ରୀ ନାୟକ ଦର୍ଶାଇଥିଲେ, କୋରାପୁଟ ଜିଲ୍ଲାରେ ୧୫ ହଜାର ୨୫୫ ଜଣ ଅଯୋଗ୍ୟ ହିତାଧିକାରୀ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୧୮ ହଜାର ୫୫୨, ଗଞ୍ଜାମ ଜିଲ୍ଲାରେ ୧୯ ହଜାର ୯୮୦, ମୟୂରଭଞ୍ଜରେ ୧୪ ହଜାର ୧୭, ସୋନପୁରରେ ୩୭ ହଜାର ୭୫୯, କଟକରେ ୨୦ ହଜାର ୧୦, ମାଲକାନଗିରିରେ ୯ ହଜାର ୮୫୨, ସୁନ୍ଦରଗଡ଼ରେ ୧୧ ହଜାର ୫୪୨, ସମ୍ବଲପୁରରେ ୧୦ ହଜାର ୫୦ ଓ ଜଗତସିଂହପୁରରେ ୧୫ ହଜାର ୮୯୧ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। କିନ୍ତୁ ଗୃହରେ ଅସତ୍ୟ ତଥ୍ୟ ରଖି କୃଷି ମନ୍ତ୍ରୀ ଶ୍ରୀ ସାହୁ ବିଧାନସଭାର ଅବମାନନା କରିଛନ୍ତି। ଏବେ ସରକାର ୫’ଟି’ ସୂତ୍ର କୃଷି ମନ୍ତ୍ରୀଙ୍କ ପ୍ରତି ଲାଗୁ କରିବାକୁ ଶ୍ରୀ ନାୟକ ଦାବି କରିଥିଲେ।

By amfnews

Related Post