Fri. Jun 26th, 2026

ଅଭାବୀ ଧାନ ବିକ୍ରି ସାଙ୍ଗକୁ ବିହନ ଚିନ୍ତା

386 Views

କନକତୋରା : ଲଖନପୁର ବ୍ଲକର ଚାଷୀ ଏବେ ଚାଷ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏବେ ସେମାନଙ୍କୁ ଅଭାବୀ ଧାନ ବିକ୍ରି ସାଙ୍ଗକୁ ବିହନ ଚିନ୍ତା ଘାରିଛି।
ଏବେ ବର୍ଷା ଆସି ଯାଇଛି। ଚାଷ ପାଇଁ ଚାଷୀ ସଜବାଜ ହେଉଛି। କିନ୍ତୁ ଗତ ରବି ଧାନ ଏଯାଏଁ ବିକ୍ରି କରି ପାରି ନଥିବାରୁ ଚାଷୀ ଚିନ୍ତିତ। ପେକ୍ସଗୁଡ଼ିକୁ କମ୍ ଟାର୍ଗେଟ ଦିଆଯାଇ ଥିବାରୁ ଚାଷୀଙ୍କ ସବୁ ଧାନ ବିକ୍ରି ହୋଇ ପାରୁ ନାହିଁ। ଏହାର ସୁଯୋଗରେ ଦଲାଲମାନେ ଅଳ୍ପ ଦାମ୍‌ରେ ଧାନ କିଣୁଥିବା ଅଭିଯୋଗ ହେଉଛି। ସେହିପରି ବର୍ତ୍ତମାନ ଚଳିତ ଖରିଫ ଚାଷ ପାଇଁ ବିହନ ଚିନ୍ତା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଚାଷୀଙ୍କ ଚାହିଦା ମୁତାବକ ବିହନ ମିଳୁନଥିବା ଅଭିଯୋଗ ହେଉଛି।
କିଛି ଖଳ ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି। ବର୍ତ୍ତମାନ ଅଞ୍ଚଳରେ ନକଲି ବିହନ ବିକ୍ରି ହେଉଥିବା ଜଣାଯାଇଛି। ନିକଟରେ ବରଗଡ଼ରେ ନକଲି ବିହନ, କୀଟନାଶକ ଜବତ ପରେ ସୀମାନ୍ତ ୧୯ଖଣ୍ଡ ମୌଜା ସୀମାନ୍ତ ଅଞ୍ଚଳର ଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି। ଏହି ସମସ୍ୟା ଗୁଡିକୁ ଗୁରୁତ୍ୱ ଦେଇ ଏହାର ପ୍ରତିକାର କରିବା ପାଇଁ ଅଞ୍ଚଳର ଚାଷୀ ଦାବି କରୁଛନ୍ତି। ଧାନର ଅଭାବୀ ଧାନ ବିକ୍ରି ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଉଦିତ ପଟ୍ଟନାୟକ କହିଛନ୍ତି, ଜିଲ୍ଲାପାଳଙ୍କ ଦ୍ୱାରା କମିସନରଙ୍କୁ ୨୩ ହଜାର କଣ୍ଟାଲ ଧାନ କ୍ରୟ ପାଇଁ ଚିଠି କରାଯାଇଛି। ଟାର୍ଗେଟ ଆସିଲେ ଧାନ କିଣି ହେବ। ଧାନ ବିହନ ସମ୍ପର୍କରେ ଜିଲ୍ଲା କୃଷି ଉପ ନିର୍ଦେଶକ କହିଛନ୍ତି, ଜିଲ୍ଲା ମୁଖ୍ୟାଳୟରେ ଧାନ ବିହନ ଗଚ୍ଛିତ ଅଛି। ପେକ୍ସମାନେ ଏଠାରୁ ବିହନ ଧାନ ନେଇ ଚାଷୀଙ୍କୁ ଦେବା କଥା ବୋଲି ସେ କହିଛନ୍ତି।

By amfnews

Related Post