Thu. Jun 11th, 2026

ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଫାଶୀ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ

270 Views

କଟକ : ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିମ୍ନ ଅଦାଲତ ପ୍ରଦାନ କରିଥିବା ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଦୋଷୀ ସାବ୍ୟସ୍ତ ଅନାମ ଦେହୁରୀ ଓରଫ୍‌ ଶ୍ରୀନିବାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଅନୁଗୁଳ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସା ଅଦାଲତ ୨୦୧୯, ଜୁଲାଇ ୨୬ରେ ଅନାମକୁ ଫାଶୀ ଦଣ୍ଡ ପ୍ରଦାନ କରିଥିଲେ। ପୂର୍ବରୁ ନିମ୍ନ ଅଦାଲତ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା (ଡିଏସଆରଇଏଫ୍) ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଅନାମ ନିମ୍ନ ଅଦାଲତ ରାୟକୁ ରଦ୍ଦ କରିବା ପାଇଁ କ୍ରିମିନାଲ ଅପିଲ ଦାୟର କରିଛି। ଉଭୟ ମାମଲାର ହାଇକୋର୍ଟରେ ଏକତ୍ର ଶୁଣାଣି ହେବ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୯, ଜାନୁଆରି ୨୦ ଅପରାହ୍ନ ୨ଟା ସମୟରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଅନୁ‌ଗୁଳ ଜିଲ୍ଲା ଗାଁ ମଶାଣି ଭୂଇଁ ନିକଟରେ ଘଟିଥିଲା। ଗ୍ରାମର ସରୋଜ ମହାରଣାଙ୍କ ୧୨ ବର୍ଷିୟା ଝିଅ ସେଦିନ ବାପାଙ୍କ ପାଇଁ ଘରୁ ଖାଦ୍ୟ ନେଇ ତାଙ୍କ ଦୋକାନକୁ ଯାଉଥିବା ବେଳେ ବାଟରେ ଅନାମ ହାବୁଡ଼ରେ ପଡିଥିଲା। ଏକୁଟିଆ ପାଇ ଅନାମ ସେଦିନ ପୀଡ଼ିତାକୁ କଣ୍ଟାଗଛ ମୂଳକୁ ଘୋଷାରି ନେଇ ଦୁଷ୍କର୍ମ କରିଥିଲା। ଏହାପରେ ଘଟଣା ପ୍ରଘଟ ହେବା ଭୟରେ ଅନାମ ପଥରେ ଛେଚି ଘଟଣାସ୍ଥଳରେ ପୀଡ଼ିତାକୁ ହତ୍ୟା କରିଥିଲା। ଅନାମ ମୃତଦେହ ସହିତ ମଧ୍ୟ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ଅନାମ ପ୍ରମାଣ ନଷ୍ଟ କରିବା ପାଇଁ ନାବାଳିକାର ପୋଷାକପତ୍ର ନାଳରେ ଭସାଇ ଦେବା ପରେ ପର୍ଜଙ୍ଗ ରାସ୍ତା ଦେଇ କୋଲକାତା ପଳାଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅନାମକୁ କୋଲକାତାରୁ ଗିରଫ କରିଥିଲା। ଏହି ସମ୍ବେଦନଶୀଳ ମାମଲାକୁ ରେଡ୍ ଫ୍ଲାଗ୍ ମାମଲା ‌ଭାବେ ଗ୍ରହଣ କରାଯାଇଥିଲା। ପ୍ରାୟ ଏକ ମାସ ଭିତରେ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦ‌ାଲତରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ୩୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅଦାଲତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଅନାମକୁ ଆଇପିସିର ଦଫା ୩୭୬(୩), ୩୦୨ ଓ ୨୦୧ରେ ଦୋ‌ଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଘଟଣାର ୬ ମାସ ୬ ଦିନରେ ଏହି ରାୟ ପ୍ରକାଶ ପାଇଥିଲା।

By amfnews

Related Post