Thu. Jan 16th, 2025

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୱାର୍ଲଡ ସ୍କିଲ୍ ସେଣ୍ଟର: ମୁଖ୍ୟମନ୍ତ୍ରୀ

By amfnews Nov 20, 2019 #Featured
108 Views

ଭୁବନେଶ୍ବର: ସମ୍ପ୍ରତି ସ୍କିଲ୍‌ଡ ଇନ୍‌ ଓଡ଼ିଶା ଏକ ଗ୍ଲୋବାଲ୍ ବ୍ରାଣ୍ଡର ପରିଚିତି ଲାଭ କରିଛି। ଏହି କାର୍ଯ୍ୟକ୍ରମରେ ତାଲିମ୍‌ ନେଉଥିବା ଓଡ଼ିଆ ପିଲାମାନେ ଅନ୍ତର୍ଜାତୀୟସ୍ତରରେ ନିଜର ଦକ୍ଷତା ଓ ନିପୁଣତା ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି। ରାଜ୍ୟ ଅର୍ଥନୈତିକ ପ୍ରଗତି ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଉଛି। ଓଡ଼ିଶାରେ ଜାରି ରହିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆଗୁଆ ରହିଛି। ତେବେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ଖୁବ୍‌ଶୀଘ୍ର ଭୁବନେଶ୍ବରରେ ଏକ ୱାର୍ଲଡ ସ୍କିଲ୍‌ ସେଣ୍ଟର ନିର୍ମାଣ କରାଯିବ। ସିଙ୍ଗାପୁର ଆଇଟିଇଇଏସ୍‌ ସହଭାଗିତାରେ ରାଜ୍ୟ ସରକାର ଏଭଳି ଏକ ବିଶାଳ ଦକ୍ଷତା ବିକାଶ କେନ୍ଦ୍ର କରିବାକୁ ଯାଉଛନ୍ତି। ମଙ୍ଗଳବାର ଜଟଣୀସ୍ଥିତ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଣ୍ଟ(ସିୟୁଟିଏମ୍‌)ରେ ବଲିଉଡ୍‌ର ପ୍ରଖ୍ୟାତ ଅଭିନେତା ପଦ୍ମଭୂଷଣ କମଲ୍‌ ହାସନ୍‌ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କମଲ୍‌ ହାସନ୍‌ଙ୍କୁ ଡକ୍ଟର ବୋଲି ସମ୍ବୋଧନ କରିବା ସହ ତାଙ୍କ କଳା ପ୍ରଦର୍ଶନର ନିପୁଣତାକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ। ତେଣୁ ଉପଯୁକ୍ତ ତାଲିମ୍‌ ଦ୍ବାରା ନିଜକୁ ଅଧିକ ନିପୁଣ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଡକ୍ଟରେଟ୍‌ ଉପାଧିରେ ଭୂଷିତ ହେବା ପରେ ବିଶ୍ବବିଦ୍ୟାଳୟ ପ୍ରତି କୃତଜ୍ଞତା ଜ୍ଞାପନ କରି ଶ୍ରୀ ହାସନ୍‌ କହିଲେ, କଳିଙ୍ଗ ରାଜ୍ୟ ଜ୍ଞାନର କେନ୍ଦ୍ର। ତେଣୁ ସେ ଶିଖିବା ପାଇଁ ଏଠାକୁ ବାରମ୍ବାର ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଦେଶରେ ଅଗ୍ରଣୀ ହୋଇପାରିଥିବାରୁ ତାମିଲ୍‌ନାଡ଼ୁରେ ମଧ୍ୟ ଏଭଳି କାର୍ଯ୍ୟକ୍ରମର ଅଧିକ ପ୍ରସାର କରିବାକୁ ସେ ଉଦ୍ୟମ କରିବେ ବୋଲି କହିଥିଲେ। ପିଲାମାନଙ୍କ ଉଦ୍ଦେଶ୍ୟରେ ସେ କହିଲେ, ସମୟ ଅସୀମ ନୁହେଁ, ସୀମିତ। ତେଣୁ ଜୀବନର ପ୍ରତି କ୍ଷଣକୁ ସଫଳତାର ସହ ବଞ୍ଚିବାକୁ ପଡ଼ିବ। ଏଥିପାଇଁ ଛୋଟ ଛୋଟ ଲକ୍ଷ୍ୟ ନିରୁପଣ କରି ତାହାକୁ ହାସଲ କରିବାକୁ ଉଦ୍ୟମ କରିବା ଉଚିତ। ପର୍ଯ୍ୟାୟକ୍ରମେ ଉପଯୁକ୍ତ ଯୋଜନା ଦ୍ବାରା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ ବୋଲି ସେ ଉପଦେଶ ଦେଇଥିଲେ।

ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଓ ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଓ କମଲ୍‌ ହାସନ୍‌ ବିଶ୍ବବିଦ୍ୟାଳୟ ପରିସରରେ ବିଭିନ୍ନ ତାଲିମ୍ କେନ୍ଦ୍ର ବୁଲି ଦେଖିଥିଲେ। ସ୍କିଲ୍‌ଡ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଉଥିବା ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଇଡ୍‌କୋ ସହାୟତାରେ ପ୍ରତିଷ୍ଠିତ ଟେକ୍ସଟାଇଲ୍‌ ଉତ୍କର୍ଷ କେନ୍ଦ୍ର, ଦିବ୍ୟାଙ୍ଗ ପିଲାଙ୍କ ପାଇଁ ହସ୍ପିଟାଲିଟି ଉତ୍କର୍ଷ କେନ୍ଦ୍ର ଓ ଷ୍ଟାର୍ଟଅପ୍‌ ଓଡ଼ିଶା କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ୨୦୨୧ରେ ହେବାକୁ ଥିବା ବିଶ୍ବ ଦକ୍ଷତା ବିକାଶ ପ୍ରତିଯୋଗିତା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

By amfnews

Related Post