Mon. Apr 21st, 2025

ପାହାଡ଼ରେ ଲୁଚିଥିଲେ, ପ୍ରଶାସନ ଉଦ୍ଧାର କଲା : ହଷ୍ଟେଲ ଫେରିଲେ ୨୯ ଛାତ୍ରୀ

By amfnews Jan 29, 2019 #Featured
222 Views

ମୋହନା, ଜାନୁଆରୀ ୨୯  : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୨୯ ଜଣ ନବମ ଶ୍ରେଣୀ ଛାତ୍ରୀ ଗତ ଶନିବାର ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ି ପଳାଇଥିବା ଘଟଣା ପ୍ରଶାସନକୁ ହରଡ଼ଘଣାରେ ପକାଇ ଥିଲା। ଶେଷରେ ସମସ୍ତ ଛାତ୍ରୀଙ୍କୁ ଠାବ କରାଯାଇ ହଷ୍ଟେଲକୁ ଫେରାଇ ଆଣି ଦିଆଯାଇଛି। ଟାଙ୍କିଲିପଦର ଠାରୁ ପ୍ରାୟ ୩ କିମି ଦୂର ଏକ ପାହାଡ଼ ଉପରେ ଗତକାଲି ରାତିରେ ଏକ ଘରେ ଲୁଚି ରହିଥିବା ଜଣାପଡ଼ିଥିଲା। ଜଣେ ବୃଦ୍ଧ ସେମାନଙ୍କୁ ତାଲା ପକାଇ ରଖି ଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ସୂଚନା ପାଇ ଘଟଣା ସ୍ଥଳକୁ ଯାଇ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରି ସଂଗେ ସଂଗେ ଚନ୍ଦ୍ରଗିରି ସ୍ଥିତ ବାଳିକା କନ୍ୟାଶ୍ରମକୁ ଆଣିଥିଲେ।‌ ସେଠାରେ ରାତି ବିତାଇବା ପରେ ଆଜି ସକାଳ ୮ଟାରେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଅନ୍ତର୍ବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲକୁ ଫେରାଇ ଆଣି ଦିଆଯାଇଥିବା ଜଣାପଡ଼ିଛି। ତେବେ ଛାତ୍ରୀ ମାନେ ଉକ୍ତ ପାହାଡ଼କୁ କିଭଳି ପରିସ୍ଥିତିରେ ପହଞ୍ଚିଲେ, ସଂପୃକ୍ତ ବୃଦ୍ଧଙ୍କ ସହ ସେମାନେ କିପରି ପରିଚିତ ହେଲେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବୃଦ୍ଧ ଜଣଙ୍କୁ ଅଡ଼ବା ଥାନା ପୁଲିସ ହେପାଜତ‌ରେ ରଖାଯାଇଛି।

ଛାତ୍ରୀ ମାନେ ହଷ୍ଟେଲରୁ ଫେରିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଭିଭାବକ ଓ କର୍ମଚାରୀ ମାନେ ସେମାନଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀ ମାନେ ସମସ୍ତ ଅଭିଯୋଗ ବଖାଣି ଥିଲେ। ସେହିପରି ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ବି ବିଦ୍ୟାଳୟ ଯାଇ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଛାତ୍ରୀଙ୍କ ଅଭିଯୋଗ ହେଉଛି, ବିଦ୍ୟାଳୟ ଶିକ୍ଷକଙ୍କ ଭିତରେ ବିଶୃଙ୍ଖଳା ଦେଖା ଦେଇଛି। ସେହିପରି ବିଦ୍ୟାଳୟରେ ସିଲାବସ ପ୍ରକାରେ କୋର୍ସ ପଢାଯାଉ ନାହିଁ। ଏହାସହ ସେମାନଙ୍କୁ ସଠିକ୍ ଭାବେ ଖାଦ୍ୟ ଦିଆଯାଉନି। ତୁରନ୍ତ ପ୍ରଧାନଶିକ୍ଷକଙ୍କୁ ବଦଳି ହେଉ ବୋଲି ଛାତ୍ରୀ ମାନେ ଦାବି କରିଥିଲେ।

ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗର ତଦନ୍ତ ହେବ। ଆଉ ଛାତ୍ରୀ ମାନଙ୍କୁ ହଷ୍ଟେଲ ଛାଡ଼ିବାକୁ ଶିକ୍ଷକ ଶିକ୍ଷୟିତ୍ରୀ ଉସକାଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

By amfnews

Related Post