Fri. Mar 21st, 2025

ନୀଳଗିରିରେ ବିଧାୟକ-ତହସିଲଦାର ମୁହାଁମୁହିଁ

By amfnews Oct 4, 2019 #Featured
162 Views

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁ ଆଜି ମୁହାଁମୁହିଁ ହୋଇଛନ୍ତି। ନୀଳଗିରି କୋର୍ଟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦକୁ ନେଇ ଏହି ପରିସ୍ଥିତି ଉପୁଜିଥିବା ବେଳେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ଅନଶନରେ ବସିଛନ୍ତି।

ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ନୀଳଗିରି କଚେରୀ ପରିସରରେ ମୋହରିମାନେ ଦୀର୍ଘ ଦିନ ହେଲା ଚାଳିଆ କରି ବସୁଥିଲେ। ହେଲେ ସେମାନଙ୍କ ପାଇଁ  ଥଇଥାନ ବ୍ୟବସ୍ଥା ନ କରି ଉକ୍ତ ଚାଳିଆକୁ ଉଚ୍ଛେଦ କରାଯାଇ ଥିବାରୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ବିଧାୟକ। ଆଜି ସକାଳେ ନୀଳଗିରି ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର ଆର୍‌ଆଇ କୋର୍ଟ ପରିସରରେ ପହଞ୍ଚିବା ପରେ ଜେସିବି ସାହାଯ୍ୟରେ ଚାଳିଆ ଭଙ୍ଗା କାମ ଆରମ୍ଭ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ବିଧାୟକ ସୁକାନ୍ତ ନାୟକ ପହଞ୍ଚିଥିଲେ।

ମୋହରିମାନଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନ କରି କାହିଁକି ଚାଳିଆ ଭାଙ୍ଗୁଛ ବୋଲି ସେ ତହସିଲଦାର ଟୁଡ଼ୁଙ୍କୁ ପ୍ରଶ୍ନ କରିଥିଲେ। ଆଉ ଏ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ବିଧାୟକ ସମସ୍ୟାର ସମାଧାନ ଦାବିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି।

ବିଧାୟକ ଶ୍ରୀ ନାୟକ କହିଛନ୍ତି, “କୋର୍ଟ ପରିସରରୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ପଦ୍ଧତିରେ ଚାଳିଆକୁ ଉଚ୍ଛେଦ କରାଯାଉଛି। ଏଠାରେ ଲୋକେ ବହୁ ବର୍ଷରୁ ସେମାନେ ବସୁଛନ୍ତି। ସେମାନଙ୍କୁ ଥଇଥାନ ନ କରିବା ପର୍ଯ୍ୟନ୍ତ ଏହି ଚାଳିଆ ନ ଭାଙ୍ଗିବାକୁ କିଛି ଦିନ ପୂର୍ବେ ଉପ-ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଜଣାଇଥିଲୁ। ହେଲେ ଆଜି ସକାଳେ ଭଙ୍ଗା ଚାଲିଥିବା ଖବର ପାଇ ପହଞ୍ଚିଥିଲୁ। କିନ୍ତୁ ଏଠାରେ ଅଧିକାରୀଜଣକ ଖରାପ ବ୍ୟବହାର କରିଥିଲେ। ଏଭଳି ଏକଛତ୍ରବାଦୀ ଅଫିସରଙ୍କ ନିକଟରୁ ଲୋକେ କି ନ୍ୟାୟ ପାଇବେ? ଏଠାରେ ସାଧାରଣ ଲୋକେ ସାଟିଫିକେର୍ଟ ପାଇପାରୁ ନାହାନ୍ତି, ଜମିଜମା ସଂକ୍ରାନ୍ତୀୟ କାମ କିଛି ହୋଇ ପାରୁନାହିଁ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ୍‌ ଟି’ କାର୍ଯ୍ୟକ୍ରମ କିଛି ହେଉନି।”

ଏହି ଘଟଣାର ସମାଧାନ ନ ହେଲା ଯାଏ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ବିଧାୟକ କହିଛନ୍ତି। ନୀଳଗିରି ଉପ-ଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ବିଧାୟକଙ୍କ ସହ ଆଲୋଚନା କରି ତାଙ୍କୁ ବୁଝାସୁଝା କରୁଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରି ନ ଥିବା ଜଣାଯାଇଛି। ଅପରପକ୍ଷେ ଏ ଘଟଣା ନେଇ ନୀଳଗିରି ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

By amfnews

Related Post