Sat. Mar 7th, 2026

ନରେନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନା ଜାରି :୧୪୪ ଧାରା ବଳବତ୍ତର, ପୁଲିସର ଫ୍ଲାଗମାର୍ଚ୍ଚ

263 Views

୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ; ସ୍କୁଲ୍ ଛୁଟି ଘୋଷଣା

ନିଶ୍ଚିନ୍ତକୋଇଲି: ଗତକାଲି କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପୁଲିସ ପକ୍ଷରୁ ୧୪୪ ଧାରା ଜାରି ପରେ ବି ରାସ୍ତା ରୋକ ଓ ପୋଡାଜଳା ଥମିବାରେ ନା ଧରୁନି। ଘଟଣାସ୍ଥଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ୧୦ ପ୍ଲାଟୁନ ପୋଲିସ ଫୋର୍ସ  ମୁତୟନ ହୋଇଥିଲାବେଳେ ଘଟଣା ଏବେ ସାମ୍ପ୍ରଦାୟିକ ଦଙ୍ଗା ଆଡକୁ ମୁହାଁଉ ଥିବା ପରିଲକ୍ଷିତ ହେଉଛି। ଅନ୍ୟପଟେ ଶାନ୍ତିଶୃଙ୍ଖଳା ବଜାୟ ରହିଥିବା ନେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ। ଅନ୍ୟପଟେ ବ୍ଲକ ଶିକ୍ଷାଧିକାରୀଙ୍କ ତରଫରୁ ୧୪୪ ଧାରା ଜାରି ହୋଇଥିବା ଅଞ୍ଚଳରେ ସ୍କୁଲଗୁଡ଼ିକ ଛୁଟି କରି ଦିଆଯାଇଛି। ଏଯାବତ୍ ଶାନ୍ତି କମିଟି ବର୍ତ୍ତମାନ ସୁଦ୍ଧା ଗଠନ ହୋଇପାରିନଥିବାରୁ ୧୪୪ ଧାରା ପ୍ରତ୍ୟାହାରକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ସାମାନ୍ୟ ସାଇଡମରାକୁ ନେଇ  ବଚସା ପରେ ନରେନ୍ଦ୍ରପୁର ଗାଁରେ ଜଣେ ଗର୍ଭବତୀ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣକୁ ନେଇ ବଢ଼ିଥିଵା ଉତ୍ତେଜନାର ପରିଣତି ସ୍ବରୂପ ସୋମବାର ପୋଲିସ ଭ୍ୟାନକୁ ଉତ୍ତ୍ୟକ୍ତ ଲୋକ ମାନେ ଗତକାଲି ପୋଡ଼ିଦେଇଥିଲେ। ଏହା ପରେ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ ପକ୍ଷରୁ ୧୪୪ ଧାରା ଜାରି କରଯାଇଥିଲା। ଭ୍ୟାନ ପୋଡି ଘଟଣାରେ ପୁଲିସ ୫ ଜଣକୁ ଅଟକ ରଖିଛି। ଆଖପାଖ ଅଞ୍ଚଳ ଯଥା ବରକୋଳିଆ,ନୈଗୁଆଁ, ବୋଧଙ୍ଗ, ଓର୍ତି, ବର୍ଗିହାଟ ପ୍ରମୁଖ ସ୍ଥାନ ଗୁଡ଼ିକରେ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି।

By amfnews

Related Post