ଧାମରା , ଡିସେମ୍ବର ୦୮ : ଅସୁରକ୍ଷିତ ହୋଇ ପଡ଼ିଛନ୍ତି ବିରଳ ଅଲିଭ୍ ରିଡ୍ଲେ କଇଁଛ। ମାତ୍ର ୭ ମାସର ଅତିଥି ହୋଇ ସୁଦୂର ଅଷ୍ଟ୍ରେଲିଆରୁ ଦୁର୍ଗମ ସାମୁଦ୍ରିକ ପଥ ଅତିକ୍ରମ କରି ବଙ୍ଗୋପସାଗର ମୁହାଣରେ ଥିବା ପ୍ରିୟ ଏନ୍ତୁଡ଼ିଶାଳକୁ ଛୁଟି ଆସୁଥିବା ଏହି ବିରଳ ପ୍ରଜାତିର କଇଁଛ ମତ୍ସ୍ୟଜୀବୀଙ୍କ ଜାଲର ଶିକାର ହେଉଛନ୍ତି। ଯେଉଁ ସ୍ଥାନ ଦିନେ ଅଲିଭ୍ ରିଡ୍ଲେଙ୍କ ବଂଶବୃଦ୍ଧି ପାଇଁ ଏନ୍ତୁଡ଼ିଶାଳ ଭାବେ ଖ୍ୟାତି ଅର୍ଜନ କରିଥିଲା, ତାହା ଆଜି ଅଭିଶପ୍ତ କବରସ୍ଥଳୀ ପାଲଟିବାକୁ ଯାଉଛି। ବାବୁବାଲି, ଚନ୍ଦନୀପାଳ ବେଳାଭୂମି ପରେ ଏବେ ଉଡ଼ାବାଲିରେ ଦେଖିବାକୁ ମିଳୁଛି କଇଁଛଙ୍କ କୁଢ଼କ୍ୁଢ଼ ଶବ।
ଗତ ୭ ବର୍ଷର ସର୍ବେକ୍ଷଣ ରିପୋର୍ଟ ଅନୁସାରେ ପ୍ରାୟ ୧୧ହଜାରରୁ ଊର୍ଧ୍ବ କଇଁଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ି ମରିଛନ୍ତି। ଏହା ସରକାରୀ ରିପୋର୍ଟ ହୋଇଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୧୫ ହଜାରରୁ ଅଧିକ ବୋଲି ଅନୁମାନ କରାଯାଉଛି। ହୁଗୁଳା ତଟ ସୁରକ୍ଷା ଓ ନିଷିଦ୍ଧାଞ୍ଚଳକୁ ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ ଯୋଗୁ ଅଲିଭ୍ ରିଡ୍ଲେଙ୍କ ମୃତୁସଂଖ୍ୟା ଏମିତି ବଢିବାରେ ଲାଗିଛି ବୋଲି ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
ନଭେମ୍ବର ମାସ ୧ ତାରିଖରୁ ମେ ମାସ ୩୧ ତାରିଖ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ସମୟ। ଏହି ସମୟରେ ସେମାନେ ସୂଦୂର ଅଷ୍ଟ୍ରେଲିଆରୁ ଭାରତ ମହାସାଗର ଦେଇ ବଙ୍ଗୋପସାଗର ଉପକୂଳ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ସୀମାନ୍ତ ଅଂଚଳ ଗହୀରମଥା ଅଭୟାରଣ୍ୟକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଆସିଥାନ୍ତି। ଏହି କଇଁଛମାନେ ମଧ୍ୟ ଚନ୍ଦନୀପାଳ ଓ ବାବୁବାଲି କ୍ୟାମ୍ପର ନାସୀ-୧ ଓ ନାସୀ-୨ରେ ଅଣ୍ଡାଦାନ କରିଥାଆନ୍ତି। ପ୍ରାକୃତିକ ପ୍ରଜନନସ୍ଥଳୀ ଏବଂ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା କଇଁଛମାନଙ୍କୁ ଗଣଅଣ୍ଡାଦାନ କରିବାକୁ ଅଧିକ ସହାୟକ ହୋଇଥାଏ। ଅଣ୍ଡାରୁ ଛୁଆ ହେବା ପାଇଁ ୪୨ରୁ ୪୫ ଦିନ ଲାଗୁଥିବାବେଳେ ମା’ କଇଁଛ ଅଣ୍ଡାଦାନ କରି ଗଭୀର ସମୁଦ୍ରକୁ ଚାଲିଯାଇଥାନ୍ତି।
ପରିବେଶ ସନ୍ତୁଳନ ରକ୍ଷା କରୁଥିବା ଏହି ବିରଳ ପ୍ରଜାତିର କଇଁଛମାନଙ୍କୁ ସୁରକ୍ଷା ଦେବାପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ କରୁଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ। ଗହୀରମଥା ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ପ୍ରତିବର୍ଷ ଏପ୍ରିଲ ମାସ ଆରମ୍ଭରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନରେ ମାଛ ମାରିବା କିମ୍ବା ଏହି ସ୍ଥାନ ଦେଇ ସମୁଦ୍ର ମଧ୍ୟକୁ ଯିବା ପାଇଁ ନିଷେଧାଦେଶ ଜାରି ହୋଇଥାଏ। ମାତ୍ର ଏହାକୁ ଭ୍ରୂକ୍ଷେପ ନକରି ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳି ଦେଇ କିଛି ବୋଟ୍ ଏହି ନିଷିଦ୍ଧାଞ୍ଚଳରେ ମାଛ ମାରି ମାଲାମାଲ ହୋଇଥାନ୍ତି। ଏହି ସମୟରେ ମାଛଧରା ଜାଲରେ ଶହଶହ କଇଁଛ ପଡ଼ି ମରିଥାନ୍ତି। ବନ ବିଭାଗ ଓ ସୁରକ୍ଷା କର୍ମୀଙ୍କ ଭୟରେ ମତ୍ସ୍ୟଜୀବୀ ଜାଲରୁ ମଲା କଇଁଛମାନଙ୍କୁ କାଢ଼ି ସମୁଦ୍ର ମଧ୍ୟକୁ ଫୋପାଡ଼ି ଦେବା ପରେ ସମୁଦ୍ର ଢେଉରେ ଭାସି ଆସି ସେମାନେ ଚନ୍ଦନୀପାଳ ବେଳାଭୂମି, ବାବୁବାଲି ଓ ଉଡ଼ାବାଲିରେ ଲାଗିଥାଆନ୍ତି।