Sat. Mar 7th, 2026

ଡକାୟତି ଯୋଜନା ପଣ୍ଡ, ୪ ଗିରଫ, ଲଙ୍କାଗୁଣ୍ଡ, କଟୁରି, ହାତୁଡି ଜବତ

170 Views

ଭୁବନେଶ୍ବର : ଏକ ବଡ଼ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିବା ସହ ୪ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ। ଅଭିଯୁକ୍ତମାନେ ହେଲେ, ୟୁନିଟ-୩ ରିକ୍ସା କଲୋନିର ମନୋଜ ବେହେରା, ପ୍ରେସ କଲୋନିର ପିଣ୍ଟୁ ଓରଫ ରାଜେଶ ବେହେରା, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ବସନ୍ତପୁରର ଚିତ୍ତରଂଜନ ରଥ, ମାଷ୍ଟରକ୍ୟାଣ୍ଟିନ ଛକର ଚିଣ୍ଟୁ ଦାସ। ସେମାନଙ୍କ ନିକଟରୁ ଲଙ୍କାଗୁଣ୍ଡ, ଛୁରୀ, କଟୁରୀ, ୫ଟି ମଦ ବୋତଲ ଆଦି ପୁଲିସ ଜବତ ହୋଇଛି। ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଗୁଳିମାଡ଼, ଛିନତାଇ, ରାହାଜାନୀ, ଡକାୟତି ଭଳି ସାଂଘାତିକ ଅଭିଯୋଗ ରହିଛି।

ଏପରିକି ସେମାନେ କ୍ୟାପିଟାଲ, ଲକ୍ଷ୍ମୀସାଗର ଓ ଖାରବେଳନଗର ଥାନା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ମଧ୍ୟ ଥିଲେ। ଖାରବେଳନଗର ଥାନା ଇନ୍ସପେକ୍ଟର ବିଶ୍ବନାଥ ସେନାପତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରିବା ବେଳେ ବିଗ୍ ବଜାର ପଛପଟ ସରକାରୀ ପ୍ରେସ୍‌ ନିକଟରେ କେତେକ ଯୁବକ ଡକାୟତି ପାଇଁ ଯୋଜନା କରୁଥିଲେ। ପୁଲିସକୁ ଦେଖି ସେମାନେ ଦୌଡ଼ିଥିଲେ। କିନ୍ତୁ ଏସଆଇ ଜେଏସ ସାମଲ, ଏସଆଇ ବିଡି ରାଉତରାୟ, ହାବିଲଦାର ଏମକେ ଜେନା ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ। ସେମାନଙ୍କୁ ଯାଞ୍ଚ କରାଯିବା ବେଳେ ଉପରୋକ୍ତ ସାମଗ୍ରୀ ମିଳିଥିଲା। ପରେ ଥାନାକୁ ନେଇ ଜେରା କରିବା ବେଳେ ସେମାନେ ଡାକାୟତି କରିବାକୁ ଯୋଜନା କରୁଥିଲେ ବୋଲି ପୁଲିସ ଆଗରେ ସ୍ବୀକାର କରିଥିଲେ।

By amfnews

Related Post