Sun. May 19th, 2024

ଚୁକ୍ତିନାମା ସତ୍ତେ୍ୱ ପେନ୍ସନ ଓ ଏନ୍ଜେସିଏସ୍ ନ ହେବା ଇସ୍ପାତ ଶ୍ରମିକଙ୍କ ପ୍ରତି ଧୋକା ଐକ୍ୟବଦ୍ଧ ଆନ୍ଦୋଳନ ହିଁ ଏକମାତ୍ର ବିକଳ୍ପ – ସିଆଇଟିୟୁ

rklsanchar@gmail.com' By J.N. Pradhan Jun 30, 2018 #Featured
189 Views

ରାଉରକେଲା, ୩୦/୬: ସ୍ଥାନୀୟ ଶ୍ରମିକ ଭବନ ଠାରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ମଣ୍ଡଳୀ ବୈଠକ ବସି ଏନ୍ଜେସିଏସ୍ ଚୁକ୍ତିନାମା ସତ୍ତେ୍ୱ ୬% ପେନ୍ସନ ନ ଦେବା, ୧୮ ମାସ ବିତିଯାଇଥିଲେ ମଧ୍ୟ ଏନ୍ଜେସିଏସ୍ ବୈଠକ ନ ଡାକିବାକୁ ନେଇ ସିଆଇଟିୟୁ ତରଫରୁ ଉଦ୍ବେଗ ପ୍ରକାଶ କରାଯାଇଛି । ସେଲ୍ ଶ୍ରମିକଙ୍କ ପ୍ରାଣମୂର୍ଚ୍ଛା କାର୍ଯ୍ୟ ଯୋଗୁ ଲାଭାର୍ଜନ କରୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଆଫୋର୍ଡେବିଲିଟି ନିର୍ଦ୍ଦେଶ ଅନୁଯାୟୀ ସେଲ୍ ବୋର୍ଡ ଏନ୍ଜେସିଏସ୍ ନ ଡାକିବା ଇସ୍ପାତ ଶ୍ରମିକ ସ୍ୱାର୍ଥ ବ୍ୟାହତ ହେଉଛି ।

ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଏହି ସରକାର ସମୟରେ ଏନ୍ଜେସିଏସ୍ର ଏହି ଅଚଳାବସ୍ଥା ପୂର୍ବରୁ କେବେ ଦେଖାଯାଇନଥିଲା । ମନ୍ତ୍ରୀ ଗୋଟିଏ ପଟରେ କହୁଛନ୍ତି ଇସ୍ପାତ ଉତ୍ପାଦନ ଭାରତର ୩୦୦ ମିଲିୟନ ଟନ୍ ହେବ । ବାସ୍ତବରେ ଆଜି ଦିନରେ ସେଲ୍ ଏବଂ ଘରୋଇ କମ୍ପାନୀ ବାର୍ଷିକ ୮୦ ମିଲିୟନ ଟନ୍ ଉତ୍ପାଦନ କରୁଛନ୍ତି । ବହୁ ଘରୋଇ କମ୍ପାନୀ ବୁଡି ଗଲାଣି । ବହୁ ଶ୍ରମିକ ଅବସର ବା ଛଟେଇ ହେଲେଣି । ଶ୍ରମିକଙ୍କ ଦରମା ନିର୍ଦ୍ଧାରଣ ହେଉ ନାହିଁ; ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ମିଳୁନାହିଁ । ସବୁଠାରୁ ଦୁଃଖଦ ଘଟଣା ଗତ ଏନ୍ଜେସିଏସ୍ ଚୁକ୍ତିନାମାରେ ସେଲ୍ ପେନ୍ସନ ପାଇଁ ୬% କମ୍ପାନୀ ଦେବା ନିଷ୍ପତ୍ତି ସତ୍ତେ୍ୱ କ୍ଷତି ସମୟରେ ଖୋଦ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨% ଦେବା ଦୁର୍ଭାଗ୍ୟଜନକ ।

ଏହାଦ୍ୱାରା ପ୍ରତ୍ୟେକ ଶ୍ରମିକ ପ୍ରାୟ ଜଣକା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହେବେ । ସିଆଇଟିୟୁ ତରଫରୁ ସମସ୍ତ ୟୁନିୟନକୁ ନେଇ ବୈଠକ କରି ଏକକ ଦାବିପତ୍ର ଦେବା ପାଇଁ ଉଦ୍ୟମ କରିଥିଲା । ଏହାପରେ ସିଆଇଟିୟୁ ତରଫରୁ ସମସ୍ତ ୟୁନିଟରେ ନୂତନ ଏନ୍ଜେସିଏସ୍ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୫ ତାରିଖ ଦିନ ସର୍ବଭାରତୀୟ ସ୍ତରରେ ସମସ୍ତ ୟୁନିୟରେ ଏନ୍ଜେସିଏସ୍ ପାଇଁ ବିକ୍ଷୋଭ କରାଯାଇଛି । ଗତ ୩୦ ତାରିଖ ଦିନ ଦିଲ୍ଲୀରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବୈଠକ ମଧ୍ୟ ହୋଇଛି ।

ସରକାର ମୂଳୁ ମାଇଲେ ଯିବ ସରି ନୀତିରେ ସେଲ୍କୁ ଖଣ୍ଡ ଖଣ୍ଡ କରି ବିକ୍ରି କରିବାକୁ ଚକ୍ରାନ୍ତ କରୁଛନ୍ତି । ଯଦି କର୍ପୋରେଟ୍ ମାଲିକମାନେ ସେଲ୍କୁ ଖଣ୍ଡ ଖଣ୍ଡ କରି ମାଲିକାନା ନେବାରେ ସଫଳ ହୁଅନ୍ତି, ତେବେ ଏନ୍ଜେସିଏସ୍ ତ ଯିବ । ସରକାର ଶ୍ରମ ଆଇନ୍ ପରିବର୍ତ୍ତନ କରି ତାକୁ ଫିକ୍ସଡ ଟର୍ମ ଜବ୍ ନାମରେ ଶ୍ରମିକମାନେ କର୍ପୋରେଟ୍ ମାଲିକଙ୍କ କ୍ରୀତଦାସ ହେବେ । ଏହା ବିରୁଦ୍ଧରେ ଐକ୍ୟବଦ୍ଧ ଆନ୍ଦୋଳନ ହିଁ ଏ ସମୟର ଆହ୍ୱାନ । ସାଧାରଣ ସମ୍ପାଦକ ବସନ୍ତ ନାୟକ କହିଛନ୍ତି ଯେ, ବିଏମ୍ଏସ୍  ରାଉରକେଲାରେ ସ୍ୱୀକୃତିପ୍ରାପ୍ତ ହେବା ପରେ ଏନ୍ଜେସିଏସ୍ ତୁରନ୍ତ କରିବେ କ’ଣ ମନ୍ତ୍ରୀଙ୍କୁ ଚାପଦେଇ ବନ୍ଦ କରିଛନ୍ତି । ପେନ୍ସନ ୬% ବଦଳରେ ୯%, ୭% କହି ଏବେ କ୍ଷତି ନାମରେ ୨% ମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରିଛନ୍ତି ।

ରାଉରକେଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଏବଂ ସହରସେବା ସେମାନଙ୍କ ଶ୍ରମିକମାନଙ୍କୁ ପ୍ରଥମ ବେଠି । ସମସ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା ଯଥା ସିସି କମିଟି ଇତ୍ୟାଦି ବନ୍ଦ କରିଛନ୍ତି । ନିଯୁକ୍ତି ନାହିଁ, ଠିକାକରଣ ବ୍ୟାପକ, ଦୁର୍ଘଟଣାରେ ବହୁ ଯୁବ ଶ୍ରମିକ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ, ସହରସେବା ଓ ସୁରକ୍ଷା, ନିଯୁକ୍ତି, ତୁରନ୍ତ ଏନ୍ଜେସିଏସ୍, ସେଲ୍ ପେନ୍ସନ, ଠିକା ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ  ମଜୁରୀ ପ୍ରଦାନ ଦାବିରେ ସିଆଇଟିୟୁ ତରଫରୁ ଲଗାତର ଆନ୍ଦୋଳନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ବିମାନ ମାଇତି, ଏସ୍.କେ. ବେହେରା, ସୁରେନ୍ଦ୍ର ମହାନ୍ତି, ପି.ସି. ପ୍ରଧାନ, ଦିଲୀପ ପାଢୀ, ପ୍ରଦୀବ ସେଠୀ, ଜେ.କେ. ସାହୁ, କେ.ଏନ୍. ମହାନ୍ତି, କୁଳମଣି ରାଉତ, ୱାଇ. ସାହୁ, ସନ୍ତୋଷ ବେହେରା, ୟୁ.ପି. ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post