Fri. Mar 6th, 2026

ଆରଏସ୍ପିର ସିଇଓଙ୍କ ଦ୍ୱାରା ଦୀପିକା ଶିକ୍ଷା ସଦନର ନୂତନ ପରିସର ଉଦ୍ଘାଟିତ

278 Views

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଇସ୍ପାତ ସହରର ଅବହେଳିତ ବର୍ଗର ପିଲାମାନଙ୍କ ପାଇଁ ସ୍ଥାପିତ ନିଃଶୁଳ୍କ ବିଦ୍ୟାଳୟ ଦୀପିକା ଇସ୍ପାତ ଶିକ୍ଷା ସଦନର ନୂତନ ପରିସରକୁ ଆରଏସପିର ସିଇଓ ଅଶ୍ୱିନୀ କୁମାର ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା ସବିତା କୁମାରୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଏହି ବିଦ୍ୟାଳୟ ରାଉରକେଲାର ଅଗ୍ରଣୀ ଜନହିତୈଷୀ ଅନୁଷ୍ଠାନ ଦୀପିକା ମହିଳା ସଂଘତି ଦ୍ୱାରା ପରିଚାଳିତ ହେଉଛି ।

ପୂର୍ବରୁ ସେକ୍ଟର-୪ରେ ଅବସ୍ଥାନ କରୁଥିବା ଦୀପିକା ଇସ୍ପାତ ଶିକ୍ଷାସଦନକୁ ସମ୍ପ୍ରତି ନବୀକୃତ ହୋଇଥିବା ପୂର୍ବବର୍ତ୍ତୀ ସେକ୍ଟର-୧୮ ଇସ୍ପାତ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେମାନେ ବିଦ୍ୟାଳୟର ବିଭିନ୍ନ ସୁବିଧା ପରିଦର୍ଶନ କରିବା ସହିତ ଆବଶ୍ୟକୀୟ ଆଂଶିକ ପରିବର୍ତ୍ତନ ନିମନ୍ତେ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷାଦାନ କରାଯିବା ସଂଗେ ସଂଗେ ପିଲାମାନଙ୍କର ବିଭିନ୍ନ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରାଯାଉଛି ।

ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବର୍ଷ ସେମାନଙ୍କର ସମସ୍ତ ପାଠ୍ୟପୁସ୍ତକ, ଆନୁଷଙ୍ଗିକ ପାଠ୍ୟ ଉପକରଣ ତଥା ଶୀତ ଓ ଗ୍ରୀଷ୍ମକାଳୀନ ୟୁନିଫର୍ମ ପୋଷାକ ମାଗଣାରେ ପ୍ରଦାନ କରାଯାଉଛି । ପିଲାମାନଙ୍କୁ ଆରଏସପିର ଅକ୍ଷୟ ପାତ୍ର ପ୍ରକଳ୍ପ ମାଧ୍ୟମରେ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ପିଲାମାନଙ୍କର ସାମଗ୍ରୀକ ବିକାଶ ସାଧନ ଉପରେ ବିଦ୍ୟାଳୟରେ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ପାଠ୍ୟକ୍ରମ ସହିତ ଛାତ୍ରଛାତ୍ରୀମାନଙ୍କୁ ଆର୍ଟ, କ୍ରାଫ୍ଟ, କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା, ସଂଗୀତ ଓ ନୃତ୍ୟ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି ।

ବିଦ୍ୟାଳୟର ନୂତନ ପରିସର ଆକାରରେ ବୃହତ୍ତର ହେବା ସଂଗେ ସଂଗେ ଏଥିରେ ବିଭିନ୍ନ ସୁବିଧା ଯଥା ବୃହତ୍ ପ୍ରେକ୍ଷାଳୟ, ଖେଳ ପଡ଼ିଆ ଓ ଗ୍ରନ୍ଥାଗାର ଏବଂ ବିଜ୍ଞାନଗାର ନିମନ୍ତେ କକ୍ଷ ଭଳି ଅତିରିକ୍ତ ସୁବିଧା ଉପଲବ୍ଧ ରହିଛି । ନୂତନ ପରିସରର ନବୀକରଣ ତଥା ସ୍ଥାନାନ୍ତରଣ କାର୍ଯ୍ୟ ସିଏସ୍ଆର ଓ ସହର ଇଞ୍ଜିନିୟରିଂ ବିଭାଗ ଦ୍ୱାରା ସମ୍ପନ୍ନ କରାଯାଇଛି । ଏଥିରେ ଆରଏସ୍ପିର ଅନ୍ୟ ୟୁନିଟ୍ ଓ ଦୀପିକା ମହିଳା ସଂଘତି ଉପଯୋଗ କରିଥିଲେ ।

ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି.କେ.ପ୍ରଧାନ, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶୁଭେନ୍ଦ୍ର ଦାସ, ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା ମିନାକ୍ଷୀ ପ୍ରଧାନ, ରୁନା ଦାସ, ରେଖା ଅଗ୍ରୱାଲ ଓ ସହରସେବା ବିଭାଗର ମହାପ୍ରବନ୍ଧକ ଏନ୍.କେ.ସାମନ୍ତରାୟ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ ଡ.ଏସ୍.ଏସ୍. ପତି, ସହର ଇଞ୍ଜିନିୟରିଂ ବିଭାଗର ଡିଜିଏମ୍ ଇନଚାର୍ଜ ପି.କେ.ସାହୁ, ସିଏସ୍ଆର ବିଭାଗର ଡିଜିଏମ୍ ଇନଚାର୍ଜ ପି.ଏମ୍.ବେହେରା, ଦୀପିକା ମହିଳା ସଂଘତିର ସମ୍ପାଦିକା ଲୀନା ଦାସ, ଆରଏସ୍ପିର ବହୁ ବରିଷ୍ଠ ଅଧିକାରୀ, ବିଦ୍ୟାଳୟର ପ୍ରଶାସକ ଏସ୍.କେ. ମିଶ୍ର, ପ୍ରଧାନ ଶିକ୍ଷକ ଏସ୍. ସାମଲ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କାଉଟ୍ ଓ ଗାଇଡ଼ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Related Post