Tue. Apr 30th, 2024

ଜଳବାୟୁ ପରିବର୍ତନ ସମସ୍ୟା ସତ୍ୱେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ୨୮ କୋଟି ଟନ୍ରେ ପହଂଚିଛି – କେନ୍ଦ୍ର ସଚିବ

By amfnews Jun 23, 2018 #Featured
155 Views

୨୨.୦୬.୨୦୧୮: ଜଳବାୟୁ ପରିବର୍ତନ, ସହରୀକରଣ ଯୋଗୁଁ ଚାଷୋପଯୋଗୀ ଜମିର ଆକାର କମିବା ଏବଂ ଅନ୍ୟାନ୍ୟ ପ୍ରତିଘାତ ପରିସ୍ଥିତି ସତ୍ୱେ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ୨୮ କୋଟି ମେଟ୍ରିକ ଟନ୍ରେ ପହଂଚିପାରିଛି । ସରକାରୀସ୍ତରରେ ନୀତିଗତ ସମର୍ଥନ ଏବଂ ସର୍ବାଧୁନିକ ପ୍ରଯୁକ୍ତି କୌଶଳର ପ୍ରୟୋଗ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ହୋଇଛି । ତେବେ ରାଜ୍ୟ ସରକାର, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ମିଳିତ ଓ ସମନ୍ୱିତ ପ୍ରୟାସ ଦ୍ୱାରା ଖାଦ୍ୟ ଶସ୍ୟ ଉତ୍ପାଦନ ଆହୁରି ବୃଦ୍ଧି ପାଇବ ଏବଂ ଚାଷୀଙ୍କ ଆୟ ଦୁଇଗୁଣ ହୋଇପାରିବ ।

ଆଜି ଭୁବନେଶ୍ୱରଠାରେ ଭାରତୀୟ କୃଷି ଗବେଷଣା ପରିଷଦ ଆଂଚଳିକ କମିଟି-୨ର ୨୪ତମ ବୈଠକରେ ଉଦ୍ବୋଧନ ଦେଇ କେନ୍ଦ୍ର କୃଷି ଗବେଷଣା ଓ ସମ୍ପ୍ରସାରଣ ବିଭାଗ (ଡେର)ର ସଚିବ ତଥା ଆଇସିଏଆର ର ମହାନିର୍ଦ୍ଦେଶକ ଡଃ ତ୍ରିଲୋଚନ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶର କୃଷି ଜଳବାୟୁକୁ ଆଧାର କରି ୮ଟି ଆଂଚଳିକ କମିଟି ଗଠନ କରାଯାଇଛି । ଆଂଚଳିକ କମିଟି -୨ରେ ରହିଛନ୍ତି ଓଡିଶା, ପଶ୍ଚିମବଂଗ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଆଣ୍ଡାମାନ ନିକୋବାର ଦ୍ୱୀପପୁଂଜ ।

ଏହିସବୁ ଅଂଚଳର କୃଷି ଜଳବାୟୁ ଅନନ୍ୟ । ଏଥିପାଇଁ ଦେଶର ଅଧିକାଂଶ ଧାନ, ଆଳୁ, ଧୂଆଁପତ୍ର, ଝୋଟ, ବିଭିନ୍ନ ପ୍ରକାର ମାଛ, ତେଲ-ତାଳ, ପନିପରିବା, ଫୁଲ ଫଳ ଏବଂ କୁକୁଡା ପାଳନ ଏହି ପାଂଚଟି ଅଂଚଳରେ ହୋଇଥାଏ । ଭାରତର ଖାଦ୍ୟ ଭଣ୍ଡାରକୁ ଏହି ପାଂଚଟି ଅଂଚଳର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବେ ପ୍ରଯୁକ୍ତି କୌଶଳର ବିକାଶ ଘଟୁଥିବାରୁ ଓଡିଶା ସମେତ ଏହିସବୁ ଅଂଚଳର କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ପ୍ରଗତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି ।

ବିଶେଷକରି ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ, ମାଛ ଚାଷ, ଉଦ୍ୟାନ କୃଷି, ରେଶମ ଚାଷ ଆଦି କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି, ଯାହାକି ଚାଷୀଙ୍କ ଆୟକୁ ବହୁଗୁଣିତ କରିପାରିବ । ଆଗାମୀ ବର୍ଷଗୁଡିକରେ କୃଷି, ପଶୁପାଳନ, ଦୁଗ୍ଧ ଉତ୍ପାଦନ, ମାଛ ଚାଷ କ୍ଷେତ୍ରରେ ଅଧିକ ଉଚ୍ଚତର ଗବେଷଣା ଏବଂ ଗବେଷଣାଲବ୍ଧ ଜ୍ଞାନର ସମ୍ପ୍ରସାରଣ ଉପରେ ଅଧିକ ଜୋର ଦେବାକୁ ପଡିବ । ଏଥିଲାଗି ଚାଷୀଙ୍କ ମଧ୍ୟରେ ସଚେତନତା ମଧ୍ୟ ବଢ଼ାଇବାକୁ ପଡିବ ବୋଲି ବିଭାଗୀୟ ସଚିବ ଡଃ ମହାପାତ୍ର କହିଛନ୍ତି ।
ଏହି ଦୁଇଦିନିଆ ସମାବେଶର ଆଜି ପ୍ରଥମ ଦିବସରେ ମତ୍ସ୍ୟ ଓ ପ୍ରାଣୀ ବିଜ୍ଞାନ ବିଭାଗର ଉପ-ମହାନିର୍ଦ୍ଦେଶକ ଡଃ ଜେ.କେ.ଜେନା ଆଂଚଳିକ କମିଟି-୨ର ପୃଷ୍ଠଭୂମି ଏବଂ କୃଷି ଗବେଷଣା ତଥା ବିକାଶ କ୍ଷେତ୍ରରେ ଏହି କମିଟି ହାସଲ କରିଥିବା ସଫଳତାକୁ ନେଇ ଏକ ବୈଜ୍ଞାନିକ ଉପସ୍ଥାପନା କରିଥିଲେ । ସେହିପରି କେନ୍ଦ୍ର କୃଷି ଗବେଷଣା ଓ ସମ୍ପ୍ରସାରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଛବିଳେନ୍ଦ୍ର ରାଉଳ କୃଷି ଉତ୍ପାଦନ ବ୍ୟବସ୍ଥାରେ ଢ଼ାଂଚାଗତ ପରିବର୍ତନ ଆଣିବା ଉପରେ ଜୋର ଦେଇଥିଲେ ।

ଚାଷୀମାନଙ୍କୁ ବଜାରଭିତିକ ସାମଗ୍ରୀ ଉତ୍ପାଦନ ଲାଗି ପ୍ରୋତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ, ଯାହାକି ଚାଷୀଙ୍କୁ ଅଭାବୀ ବିକ୍ରୀ ଭଳି ସମସ୍ୟାରୁ ମୁକ୍ତି ଦେଇପାରିବ । ବିଭାଗୀୟ କେନ୍ଦ୍ରୀୟ ଅତିରିକ୍ତ ସଚିବ ଶ୍ରୀ ବିମ୍ବାଧର ପ୍ରଧାନ ଅଧିକରୁ ଅଧିକ ଚାଷୀଙ୍କୁ ଇ-ନାମ ପ୍ଲାଟଫର୍ମ ସହ ଯୋଡିବା ଉପରେ ଗୁରୁତ୍ୱ ଦେଇଥିଲେ । ଜଳବାୟୁ ପରିବର୍ତନ ସମସ୍ୟାର ମୁକାବିଲା ଲାଗି ପ୍ରତି ରାଜ୍ୟକୁ ଚାହିଁ ଆବଶ୍ୟକ ସରକାରୀ ହସ୍ତକ୍ଷେପ କରାଯିବା ଉପରେ ମତ ରଖିଥିଲେ ।
ଉଦ୍ଘାଟନୀ ସମାବେଶରେ ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଆଣ୍ଡାମାନ ନିକୋବାର କେନ୍ଦ୍ରଶାସିତ ଅଂଚଳ ଓ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ, ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ସିଫାର ମତ୍ସ୍ୟ ବିଜ୍ଞାନୀମାନେ ଯୋଗ ଦେଇଥିଲେ । ସିଫା ନିର୍ଦ୍ଦେଶକ ଡଃ ଏସ.ଏସ.ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

By amfnews

Related Post