Sat. Mar 7th, 2026

ଭୁଲ ମେଡିସିନ ଖାଇ ଆଖି ବୁଜିଲା ନାବାଳକ

225 Views

ଭଦ୍ରକ : ପୁଅକୁ ସାମାନ୍ୟ ଜ୍ୱର ହୋଇଥିଲା। ଭଲ ହୋଇଯିବ ଭାବି ଗାଁ ନିକଟ  କ୍ଲିନିକରେ ଦେଖାଇ ପରିବାର ଲୋକେ ମେଡିସିନ ଓ ଇଞ୍ଜେକସନ ଦେଲେ। ହେଲେ ଅବସ୍ଥା ଭଲ ହେବା ପରିବର୍ତ୍ତେ ବିଗିଡ଼ିବାକୁ ଲାଗିଲା। ଏହିପରି ୨ ଦିନ କଷ୍ଟ ପାଇବା ପରେ ଗତକାଲି ଭଦ୍ରକ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଖି ବୁଜିଲା ୧୧ ବର୍ଷର ନାବାଳକ। ଏପରି ହୃଦୟଥରା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ବିରିଆଡ଼ିଆ ଗାଁରେ।

ସୂଚନା ଅନୁଯାୟୀ, ବିରିଆଡ଼ିଆ ଗାଁର ଗଙ୍ଗାଧର ବାରିକଙ୍କ ପୁଅ ସୁରେଶ ବାରିକଙ୍କୁ ଗତ ମଙ୍ଗଳବାରଠୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାଙ୍କୁ ଘଣ୍ଟେଶ୍ୱର ବଜାରସ୍ଥିତ ମଦନ କରଙ୍କ ତାରିଣୀ କ୍ଲିନିକକୁ ନେଇଥିଲେ। ସେଠାରେ ମଦନ କର କୌଣସି ପରୀକ୍ଷା  ନ କରି ନିଜେ ପିଲାଟିକୁ ମେଡିସିନ ଓ ଇଞ୍ଜେକସନ ଦେଇଥିଲେ। ଏହାପରେ ପରିବାର ଲୋକେ ପିଲାଟିକୁ ଘରକୁ ନେଇ ଯାଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଗୁରୁବାର ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଥିଲା।

ଭୁଲ ମେଡ଼ିସିନ୍ ଯୋଗୁ ନାବାଳକର ମୃତ୍ୟୁ ହୋଇଥିବା ଭଦ୍ରକ ମେଡିକାଲ ଡାକ୍ତର କହିବା ପରେ ପରିବାର ଲୋକେ ଘଣ୍ଟେଶ୍ୱର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆଜି ସକାଳୁ ମେଡ଼ିସିନ୍ ଦୋକାନୀ କେଉଁଆଡ଼େ ଫେରାର ହୋଇଯାଇଥିବା ଜଣାଯାଇଛି। ପୁଲିସ୍‌ ଘଟଣାର ଖୋଳତାଡ଼ କରୁଛି।

By amfnews

Related Post