Sun. Mar 8th, 2026

ୱାରେଣ୍ଟି ମାଡ଼ରେ ଆଇଆଇସିଙ୍କ ମୁଣ୍ଡ ଫାଟିଲା

229 Views

ଧର୍ମଶାଳା : ଯାଜପୁରର ଧର୍ମଶାଳାର ଆଇଆଇସିଙ୍କୁ ଜଣେ ୱାରେଣ୍ଟି ଏମିତି ମାଡ଼ ମାରିଛନ୍ତି ଯେ, ତାଙ୍କ ମୁଣ୍ଡ ଫାଟି ୩ଟି ଗଭୀର କ୍ଷତ ସୃଷ୍ଟି ହୋଇଛି। ଏସବୁ ସ୍ଥାନରେ ୧୪ଟି ଷ୍ଟିଚ୍‌ ପଡ଼ିଛି। ପୁଲିସ୍‌ ୱାରେଣ୍ଟି ଓ ତାଙ୍କ ଦୁଇ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆଜି ପୂର୍ବାହ୍ନରେ ଯାଜପୁର ସବଡିଭିଜନାଲ କୋର୍ଟଙ୍କ ନିର୍ଦେଶକ୍ରମେ ଧର୍ମଶାଳା ଥାନା ପୁଲିସ ୱାରେଣ୍ଟି ନିତ୍ୟାନନ୍ଦ ମଲିକ(୬୫)ଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରିଥିଲା। କୋର୍ଟରେ ହାଜିରା ହେବା ପାଇଁ ପୁଲିସ ଗାଡ଼ିରେ ଆସିବାକୁ ନିତ୍ୟାନନ୍ଦଙ୍କୁ କୁହାଯାଇଥିଲା। ମାତ୍ର ସେ ଏଥିରେ ଅରାଜି ହେବା ସହିତ ମହିଳା ପୁଲିସ ଏସ୍‌ଆଇଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ତାଙ୍କୁ କୁଆଡ଼େ ସେ ବିଧା ଗୋଇଠା ମାରିଥିଲେ। ଏଥି‌ରେ କ୍ଷୁବ୍ଧ ହୋଇ ପୁଲିସ ପରିବାର ଲୋକଙ୍କ ସହାୟତାରେ ନିତ୍ୟାନନ୍ଦଙ୍କୁ ଗୋଟିଏ ଘରେ ପୂରାଇ ଦେଇ ଘଟଣା ସଂପର୍କରେ ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କୁ ଅବଗତ କରାଇଥିଲେ। ଖବର ପାଇ ଆଇଆଇସି ଶ୍ରୀ ଆସି ଘଟଣାସ୍ଥଳରେ ପହଞ୍ଚି ନିତ୍ୟାନନ୍ଦଙ୍କୁ ଧରିବାକୁ ବନ୍ଦ କୋଠରିକୁ ଖୋଲିଥିଲେ। କୋଠରିଟି ଅନ୍ଧାରୁଆ ହୋଇଥିବାରୁ ଏହାର ସୁଯୋଗ ନେଇ ନିତ୍ୟାନନ୍ଦ ଏକ ଲୁହାରଡ଼ (ପୁରୁଣା ସାଇକଲ ଷ୍ଟାଣ୍ଡ) ରେ ଆଇଆଇସିଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆଇଆଇସିଙ୍କ ମୁଣ୍ଡ ଫାଟି ଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମଧ୍ୟ ଥାନା ଅଧିକାରୀ ନିତ୍ୟାନନ୍ଦଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ।

By amfnews

Related Post