Sun. Mar 8th, 2026

୨୭ରୁ ଉପକୂଳରେ ପ୍ରବଳ ବର୍ଷା

224 Views

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଆଜି ବର୍ଷା ହୋଇଛି। ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ଉପକୂଳ ଓଡ଼ିଶା‌ର ବିଭିନ୍ନ ଜିଲ୍ଲାରେ କିନ୍ତୁ ୨୭ ଓ ୨୮ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ୧୦୦ମିମି ପାଖାପାଖି ବର୍ଷା ହୋଇପାରେ।୨୬ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ୨୭ ଓ ୨୮ ତାରିଖରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼ରେ ବର୍ଷା ହେବ। ସେହିପରି ବୁଧବାର ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଟିଟିଲାଗଡ଼ରେ ଆଜି ସର୍ବାଧିକ ୬୨ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବର ଓ ଚାନ୍ଦବାଲିରେ ୨ମିମି, କଟକରେ ୧ମିମି, ପାରାଦୀପରେ ୧୨.୮ ମିମି, ଭୁବନେଶ୍ବରରେ ୩ମିମି, ଗୋପାଳପୁରରେ ୧୩.୨ମିମି, ଅନୁଗୁଳରେ ୭ମିମି, ଝାରସୁଗୁଡ଼ାରେ ୫ମିମି, କେନ୍ଦୁଝରରେ ୧୭.୭ମିମି, ତା‌ଳଚେରରେ ୧୦ମିମି, କୋରାପୁଟରେ ୬ମିମି, ମାଲକାନଗିରିରେ ୪ମିମି, ଦାରିଙ୍ଗବାଡ଼ିରେ ୨ମିମି ବର୍ଷା ହୋଇଛି।

By amfnews

Related Post