Tue. Dec 24th, 2024

୨୪ ଘଂଟା ନପୁରୁଣୁ ଡଙ୍କାରୀରେ ୧୪୪ ଧାରାର ଉଲଂଘନ

manasranjanbiswal07@gmail.com' By Manas Ranjan Biswal Oct 18, 2018 #Featured
277 Views

ଯାଜପୁର,୧୭/୧୦ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଜେନାପୁର ଥାନା ଅନ୍ତର୍ଗତ ଡଙ୍କାରୀ ପାହାଡର ଚୋରା ପଥର କାରବାର ସମଗ୍ର ରାଜ୍ୟରେ ଚର୍ଚ୍ଚିତ ଘଟଣା ହୋଇଥିବା ବେଳେ ସରକାର ମଧ୍ୟ ଏଥିନେଇ ଜନଅସନ୍ତୋଷର ଶୀକାର ହେଉଛନ୍ତି । ତେବେ ସୋମବାର ଏହି ପାହାଡରୁ ସଂପୂର୍ଣ୍ଣ ପଥର ଚାଲାଣ ବନ୍ଦ କରାଯିବା ସହ ପାହାଡ ଅଂଚଳକୁ ୧୪୪ ଧାରା ଜାରି କରାଯାଇଛି । ଏହାପରେ ସାଧାରଣରେ ଏଥିନେଇ ସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ମହଲରେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି । ହେଲେ ଏହି ୧୪୪ ଧାରା ଜାରି ହେବାର ୨୪ ଘଣ୍ଟା ନପୁରୁଣୁ ମଙ୍ଗଳବାର ରାତି ୯ ଟା ପରେ ପୁଣି ପାହାଡ ଉପରକୁ ମାଟି ଖୋଳା ମ୍ୟାସିନ ଉଠିବା ସହ ପଥର ବ୍ଲାଷ୍ଟିଂ କରାଯିବା ଘଟଣା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି । ଏହାଦ୍ୱାରା ପଥର ମାଫିଆଙ୍କ ନିକଟରେ ସରକାରୀ କଳ ସଂପୂର୍ଣ୍ଣ ଆତ୍ମ ସମର୍ପଣ କରିଥିବା ବେଳେ ସରକାର ଅସହାୟ ହୋଇ ପଡିଛନ୍ତି ବୋଲି ପ୍ରମାଣିତ ହୋଇଛି । ଏଥିନେଇ ଡଙ୍କାରୀ ଗ୍ରାମରେ କେତେକ ବ୍ୟକ୍ତି ସ୍ଥାନୀୟ ଜେନାପୁର ଥାନା ପୋଲିସକୁ ମୋବାଇଲ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିବାକୁ ଥାନା ତରଫରୁ ପରାମର୍ଶ ଦିଆଯିବା ଘଟଣା ମଧ୍ୟ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି । ତେବେ ୧୪୪ ଧାରା ଜାରି କରିଦେଇ ପ୍ରଶାସନ ପାହାଡର ସୁରକ୍ଷା ନେଇ କୌଣସି ପ୍ରକାର ପ୍ରତିକାର ବ୍ୟବସ୍ଥା ନକରି ପରୋକ୍ଷରେ ପଥର ବେପାରୀଙ୍କୁ ପୁଣି ପଥର ଚୋରୀ କରିବାକୁ ସୁଯୋଗ ଦେଇନାହିଁ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ରାଜ୍ୟର ଏକ ବଡ ଧରଣର ଚୋରୀ ହୋଇଥିବା ବେଳେ ଏହି ଚୋରୀକୁ ରୋକିବାକୁ ସାଧାରଣ ଜନତାଙ୍କୁ ସଚେତନ କରାଯିବା ସହ ଏକ ୨୪ ଘଂଟିଆ ସେବା ଓ ସୁରକ୍ଷା ପ୍ରଦାନ କରିବା ଭଳି ଏକ ଫୋନ ନଂବର ସାଧାରଣ ଜନତାଙ୍କୁ ପ୍ରଦାନ କରାଯିବା ଉଚିତ । ଯାହା ଫଳରେ ଏହି ଫୋନ ନଂବରରେ ଲୋକେ ପଥର ଚୋରୀ ନେଇ ସୂଚନା ପ୍ରଦାନ କରିପାରିବେ ବୋଲି ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ନଚେତ ଏଭଳି ୧୪୪ ଧାରା ଦ୍ୱାରା ସରକାର ଓ ସରକାରୀ କଳ ଅଧିକ ପ୍ରଶ୍ନବାଚୀର ସମ୍ମୁଖୀନ ହେବେ । ସେହିପରି କ୍ରସର ଗୁଡିକରେ ଗଚ୍ଛିତ ଥିବା କୋଟି କୋଟି ଟଙ୍କାର ଚୋରା ପଥର ନେଇ ପ୍ରଶାସନର ଅସ୍ପଷ୍ଟ ଭୂମିକା ମଧ୍ୟ ସାଧାରଣରେ ଅସନ୍ତୋଷର କାରଣ ହୋଇଛି ।

Related Post